ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ବୟସ ୧୬ବର୍ଷ ହେବ ବୋଲି ଜଣାପଡ଼ିଛି। ଜୀବନ ହାରିବା ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରୁ ପହଞ୍ଚି ନାବାଳିକାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ମୃତକଙ୍କ ପରିବାରଲୋକ ଅଭିଯୋଗ କରି କହିଛନ୍ତି କି, ଝିଅ ଦୁଷ୍କର୍ମର ଶିକାର ହେବାପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ସେ କାହାରି ସହିତ ବେଶୀ କଥା ବି ହେଉ ନଥିଲା। ଖିଆପିଆ ବି ଛାଡ଼ି ଦେଇଥିଲା। ଶେଷର ଆମେ ସମସ୍ତେ ଘର କାମରେ ବ୍ୟସ୍ତ ଥିବା ବେଳେ ସେ ଲୋକଲଜ୍ଜା ଭୟରେ ରଶି ଲଗାଇ ଜୀବନ ହାରି ଦେଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଦୁଇମାସ ପୂର୍ବରୁ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତ ଶିକ୍ଷକଙ୍କ ପରିଚୟ ମଙ୍ଗଲାରାମ ବିଶ୍ନୋଇ (୨୫)ବୋଲି ଜଣାପଡ଼ିଛି। ଛାତ୍ରୀ ଜଣକ ବୋର୍ଡ ପରୀକ୍ଷା ସମୟରେ ଉକ୍ତ ଶିକ୍ଷକଙ୍କ ସମ୍ପର୍କରେ ଆସିଥିଲେ।

ଅଭିଯୁକ୍ତ ଶିକ୍ଷକ ଭିନମାଲର ରାଜକୀୟ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଅକ୍ଟୋବର ୨୨ ତାରିଖରେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତା ପରିବାରଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।