ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ : ଲୋକସଭାରେ ଗୃହୀତ ହେଲା ବିଲ୍‌

ନୂଅରଦିଲ୍ଲୀ: ଶିଶୁ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦିଆଯିବ। ଏମିତି କି ମୃତ୍ୟୁଦଣ୍ଡ ବ୍ୟବସ୍ଥା ବି ହେବ। ଦେଶରେ ନାବାଳିକା ଦୁଷ୍କର୍ମ ମାତ୍ରା ଅହେତୁକ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଏହାର ପ୍ରତିକାର ଲାଗି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଲୋକସଭାରେ ଆଗତ ଫୋଜଦାରୀ ଆଇନ (ସଂଶୋଧନ) ବିଲ୍‌ ୨୦୧୮କୁ ଆଜି ଅନୁମୋଦନ କରାଯାଇଛି। ଆଇନରେ ରହିଥିବା ବ୍ୟବସ୍ଥା ମୁତାବକ ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରାଯିବ। ଏମାନଙ୍କ ପ୍ରତି କୌଣସି ପ୍ରକାର ଦୟାଭାବ ପ୍ରଦର୍ଶନ କରାଯିବ ନାହିଁ। କଠୋରରୁ ଅତିକ କଠୋର ଦଣ୍ଡ ଏମାନଙ୍କୁ ଦିଆଯିବ। ଫଳରେ ଦେଶରେ ଏଭଳି ଘଟଣା ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଫୌଜଦାରୀ ଆଇନ ସଂଶୋଧନ ବିଲ୍‌ ୨୦୧୮ ଆଜି ଲୋକସଭାରେ ଗୃହୀତ ହୋଇଥିଲା।

ତେବେ ଅଧିକାଂଶ ସାଂସଦ ଏହି ବିଲ୍‌ରେ ରହିଥିବା ବ୍ୟବସ୍ଥାକୁ ସମର୍ଥନ ଜଣାଇଥିଲେ। ଏହି ବିଲ୍‌ ରାଜ୍ୟସଭାରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଚଳିତବର୍ଷ ଏପ୍ରିଲ ୨୧ ତାରିଖରେ ସରକାରଙ୍କ ପକ୍ଷରୁ ଅପରାଧିକ ଆଇନ (ସଂଶୋଧନ) ଅଧ୍ୟାଦେଶ ଲାଗୁ କରାଯାଇଥିଲା। ଖୁବ୍‌ଶୀଘ୍ର ଏହି ଅଧ୍ୟାଦେଶ ସ୍ଥାନରେ ସଂଶୋଧିତ ଆଇନ ଲାଗୁ ହେବ। ତେବେ ଆଜି ଲୋକସଭାରେ କିଛି ବିରୋଧୀ ଦଳ ନୂଆ ଆଇନ ପ୍ରଣୟନ ପାଇଁ ଅଧ୍ୟାଦେଶ ଆଣିବା ବ୍ୟବସ୍ଥାକୁ ବିରୋଧ କରିଥିଲେ। ଏହି ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ୧୨ ବର୍ଷରୁ କମ୍‌ ବୟସର ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଏବଂ ୧୬ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମକାରୀଙ୍କୁ ଅତି କମ୍‌ରେ ୧୦ରୁ ୨୦ ବର୍ଷ ଜେଲ୍‌ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ମହିଳା ଦୁଷ୍କର୍ମକାରୀଙ୍କୁ ୭ ବର୍ଷରୁ ୧୦ ବର୍ଷ ଜେଲ୍‌ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ।

ସମ୍ବନ୍ଧିତ ଖବର