ମାଗଣାରେ ପରିବା ନଦେବାରୁ ନାବାଳକଙ୍କୁ ଗିରଫ ମାମଲା:ଗୋଟିଏ ଥାନାର ସବୁ ପୁଲିସ ନିଲମ୍ବିତ

ପାଟ୍‌ନା: ବିହାର ରାଜଧାନୀ ପାଟ୍‌ନାର ଆଗମକୁଆନ୍‌ ଥାନାର ଦୁଇଜଣ ଏସଏଚ୍‌ଓ (ଷ୍ଟେସନ୍‌ ହାଉସ ଅଫିସର) ଏବଂ ସମସ୍ତ ପୁଲିସ ଆଜି ନିଲମ୍ବିତ ହୋଇଛନ୍ତି। ଜଣେ ନାବାଳକ ଉକ୍ତ ଥାନାର ପୁଲିସ୍‌ଙ୍କୁ ମାଗଣାରେ ପରିବା ନଦେବାରୁ ସମ୍ପୃକ୍ତ ଥାନାର ପୁଲିସ ଅଧିକାରୀମାନେ ତାଙ୍କୁ ମିଛ ବାଇକ୍‌ ଚୋରି ମାମଲାରେ ଗିରଫ କରି ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍‌ରେ ରଖିଥିଲେ। ଏଭଳି ଏକ ଅମାନବୀୟ ଘଟଣା ଲୋକଲୋଚନକୁ ଆସିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ତୀବ୍ର ଉଦ୍‌ବେଗ ପ୍ରକାଶ କରି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ମାମଲାର ତଦନ୍ତ ପରେ ଜଣାପଡ଼ିଛି ଯେ ନାବାଳକଙ୍କୁ ମିଛରେ ନିର୍ଯାତନା ଦିଆଯାଇଛି। ମାଗଣାରେ ପରିବା ନଦେବାରୁ ତାଙ୍କୁ ମିଛ ବାଇକ୍‌ ଚୋରି ମାମଲାରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍‌ରେ ରଖାଯାଇଛି। ତେଣୁ ସମ୍ପୃକ୍ତ ଥାନାର ସମସ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମସ୍ତଙ୍କୁ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି।
ସୂଚନାନୁଯାୟୀ ନାବାଳକ ଜଣଙ୍କ ଆଗମକୁଆନ୍‌ ଥାନା ଅଧୀନ ଚିତ୍ରଗୁପ୍ତ ନଗର ଅଞ୍ଚଳର ବାସିନ୍ଦା। ସେ ପରିବା ବିକନ୍ତି। ତେବେ ତାଙ୍କୁ ଆଗମକୁଆନ୍‌ ଥାନାର ଜଣେ ପୁଲିସ ମାଗଣାରେ ପରିବା ମାଗିବାରୁ ସେ ଦେଇନଥିଲେ। ଏନେଇ ସମ୍ପୃକ୍ତ ପୁଲିସ ମିଛ ବାଇକ୍‌ ଚୋରି ମାମଲାରେ ନାବାଳକଙ୍କୁ ଗିରଫ କରି ନେଇଥିଲେ। ଜଣାଯାଇଛି ନାବାଳକଙ୍କ ବାପା ମା’ ଘରେ ନଥିବା ସମୟରେ ପୁଲିସ ତାଙ୍କୁ ଗିରଫ କରିନେଇଥିଲା। ତେବେ ନାବାଳକଙ୍କ ବାପା ବହୁ ବରିଷ୍ଠ ଅଧିକାରୀ ଏବଂ ରାଜନେତାଙ୍କ ପାଖରେ ଗୁହାରି କରିବାପରେ ଏହି ମାମଲା ପଦାକୁ ଆସିଥିଲା ଏବଂ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ। ଇତି ମଧ୍ୟରେ ନାବାଳକଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର