କାଶ୍ମୀରରେ ସଂଖ୍ୟାଲଘୁଙ୍କୁ ହତ୍ୟା ଘଟଣା: କେନ୍ଦ୍ର ନେବ କଠୋର ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ କାଶ୍ମୀରରେ ବାଛି ବାଛି ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଉଛି। କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟ ଭିତରେ ଆତଙ୍କ ସୃଷ୍ଟି କରିବା ପାଇଁ ପାକିସ୍ତାନ ପ୍ରଚୋଦିତ ସଦ୍ୟ ହିଂସାକୁ ରୋକିବା ନିମନ୍ତେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ନିକଟରେ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ସ୍ଥାନୀୟ ସାମ୍ମୁଖ୍ୟ ଦ୍ବାରା ଶ୍ରୀନଗରରେ ଅନ୍ୟୂନ ପାଞ୍ଚଜଣ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଇଛି। ଜଣେ କାଶ୍ମୀରୀ ପଣ୍ଡିତ ଫାର୍ମାସିଷ୍ଟ ମାଖନଲାଲ ବିନ୍ଦ୍ରୁ, ସ୍କୁଲ ପ୍ରିନ୍ସିପାଲ ସୁପିନ୍ଦର କୌର, ସ୍କୁଲ ଶିକ୍ଷକ ଦୀପକ ଚାନ୍ଦ ଏବଂ ଜଣେ ବିହାରୀ ହକର ବୀରେନ୍ଦର ପାସୱାନଙ୍କୁ ହତ୍ୟା କରାଯାଇଛି। ଏ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ଭାରତ ସରକାର ଦେଶର ସବୁ ଗୋଇନ୍ଦା ସଂସ୍ଥାକୁ ଲଗାଇଦେଇଛନ୍ତି। ସିଆଇଏଫ୍‌, ସିଆର୍‌ପିଏଫ୍‌ ଜବାନଙ୍କୁ ଶ୍ରୀନଗରରେ ମୁତୟନ କରାଯିବା ସହ ବିଏସ୍‌ଏଫ୍‌ ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ନିୟୋଜିତ ଅଛି।

ଶୁକ୍ରବାର ରାତିରେ ଜମ୍ମୁ-କାଶ୍ମୀର ପୁଲିସ ସୋପିଆନର ଜଣେ ଏଲ୍‌ଇଟି ଆତଙ୍କବାଦୀକୁ ନାଟିପୁରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ହତ୍ୟା କରିଛି। ତା’ଠାରୁ ଏକ ଏକେ-୪୭ ରାଇଫଲ ଓ ଦୁଇଟି ମାଗାଜିନ୍ ଉଦ୍ଧାର କରାଯାଇଛି। ଏହାଦ୍ବାରା ତା’ର ଆଉ ଜଣେ ସଂଖ୍ୟାଲଘୁଙ୍କୁ ମାରିବାର ଉଦ୍ୟମ ପଣ୍ଡ ହୋଇଯାଇଛି। ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପାକିସ୍ତାନୀ ବୋଲି କୁହାଯାଉଥିବା ଆତଙ୍କବାଦୀ ଫେରାର ହୋଇଯାଇଥିଲା। କାଶ୍ମୀରରେ ଏ ଧରଣର ଆତଙ୍କବାଦ ଓ ସଂଖ୍ୟାଲଘୁଙ୍କ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ ବୋଲି ଗୁରୁବାର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଉପତ୍ୟକାରେ ଗୋଇନ୍ଦା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର