ନୂଆଦିଲ୍ଲୀ: ବିହାରର ଏସଆଇଆର ବିରୋଧରେ ଗତ ମଙ୍ଗଳବାର ଏକ ପ୍ରତିବାଦ ଶୋଭାଯାତ୍ରା ସଂସଦରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା। ଏହି ଶୋଭାଯାତ୍ରାକୁ ପୁଲିସ ଅଧାରାସ୍ତାରୁ ଅଟକାଇବା ପରେ ହଙ୍ଗାମା ଆହୁରି ବଢ଼ି ଯାଇଥିଲା।

Advertisment

ଏହି ପ୍ରତିବାଦ ଶୋଭାଯାତ୍ରାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଏକାଭଳି ଟି-ସାର୍ଟ ପିନ୍ଧିଥିଲେ। ଏହି ଟି-ସାର୍ଟରେ ବିହାରର ସିୱାନର ବାସିନ୍ଦା ମିନ୍ତା ଦେବୀଙ୍କ ଫଟୋ ଛପା ଯାଇଥିଲା। ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ଟି-ସାର୍ଟରେ ମିନ୍ତା ଦେବୀଙ୍କ ଫଟୋ ଛପା ଯିବାର କାରଣ ହେଉଛି, ବିହାରର ସିୱାନ ଜିଲ୍ଲାର ବାସିନ୍ଦା ମିନ୍ତା ଦେବୀଙ୍କ ବୟସ ୩୫ ବର୍ଷ। ତାଙ୍କ ଆଧାର କାର୍ଡରେ ଜନ୍ମ ତାରିଖ ୧୫ ଜୁଲାଇ ୧୯୯୦ଲେଖାଯାଇଛି। କିନ୍ତୁ ଭୋଟର ତାଲିକା ସଂଶୋଧନ ଅଭିଯାନ ସମୟରେ, ତାଙ୍କ ଜନ୍ମ ତାରିଖ ଭୁଲବଶତଃ ୧୯୦୦ ଲେଖାଯାଇଥିଲା, ଯାହା ଫଳରେ ତାଙ୍କ ବୟସ ୧୨୪ ବର୍ଷ ଦର୍ଶା ଯାଇଛି।

ବିରୋଧୀ ଦଳ ଏହି ତ୍ରୁଟି ବିଷୟରେ ଜାଣିବା ମାତ୍ରେ ସରକାରଙ୍କୁ କଟାକ୍ଷ କରିବା ପାଇଁ ମିନ୍ତା ଦେବୀଙ୍କ ଫଟୋକୁ  ଟି-ସାର୍ଟରେ ଛାପି ପ୍ରତିବାଦକୁ ଓହ୍ଲାଇଥିଲେ।

ଏଭଳି ଘଟଣାକୁ ନେଇ ମିନ୍ତା ଦେବୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କିଏ? ସେମାନଙ୍କ ସହିତ ମୋର କୌଣସି ପ୍ରକାର ସମ୍ପର୍କ ନାହିଁ। ମୋ ଛବିକୁ ଟି-ସାର୍ଟରେ ଛାପି ପିନ୍ଧିବା ପାଇଁ  ସେମାନଙ୍କୁ  ଅଧିକାର କିଏ ଦେଲା?