ଏହି ସବୁ କାରଣରୁ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ଭାରତୀୟ ବାୟୁ ସେନା ମିରାଜ୨୦୦୦କୁ ଚୟନ କରିଥିଲା

ନୂଆଦିଲ୍ଳୀ: ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ସିଆରପିଏଫ୍ ଯବାନଙ୍କ ପ୍ରତିଶୋଧ ନେବାରେ ମୁଖ୍ୟ ଭୂମିକା ନିଭାଇଛି ଭାରତୀୟ ବାୟୁସେନାର ମିରାଜ୨୦୦୦ ଯୁଦ୍ଧ ବିମାନ। ୧୨ଟି ମିରାଜ୨୦୦୦ ଦେଖାଇଥିବା କମାଲ୍‌ ସାରା ବିଶ୍ୱରେ ଚହଳ ପକାଇଛି। ଫେବ୍ରୁଆରି ୧୪ରେ ହୋଇଥିବା ଆକ୍ରମଣର ପତିଶୋଧ ପୂରା ହୋଇଛି ଫେବ୍ରୁଆରି ୨୫-୨୬ ମଧ୍ୟରାତ୍ରରେ। ରାତି ପ୍ରାୟ ୩.୩୦ ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଶିବିର ଉପରେ ହୋଇଥିଲା ବୋମା ବର୍ଷା।

ତେବେ ତମାମ ବିଶ୍ୱବାସୀଙ୍କ ମନରେ ଏବେ ପ୍ରଶ୍ନ ଉଠିଛି କି ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ମିରାଜ୨୦୦୦ କାହିଁକି? ଅନ୍ୟ କେଉଁ ଯୁଦ୍ଧ ବିମାନ ଓ ମିରାଜ ମଧ୍ୟରେ କ’ଣ ରହିଛି ଭିନ୍ନତା? ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କାର୍ଗିଲ ଯୁଦ୍ଧ ସମୟରେ ଅନ୍ୟ ଯୁଦ୍ଧ ବିମାନଗୁଡ଼ିକ ତୁଳନାରେ ଏହି ମିରାଜ୨୦୦୦ ଯୁଦ୍ଧ ବିମାନ ହିଁ ଭାରତର ବେଶି କାମରେ ଆସି ପାରିଥିଲା।

ମୁଖ୍ୟତଃ ଯୁଦ୍ଧ ଉଦେଶ୍ୟରେ ପ୍ରସ୍ତୁତ ଯାଇଥିବା ଭାରତୀୟ ବାୟୁ ସେନାର ସୁଖୋଇ ସୁ-୩୦ଏମ୍‌କେଏଲ୍‌ ଥିବା ସତ୍ତ୍ୱେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ମିରାଜ୨୦୦୦କୁ ଚୟନ କରିଥିଲା ବାୟୁସେନା। ମିରାଜ ବିମାନର ଓଜନ ଅପେକ୍ଷାକୃତ କମ ହୋଇଥିବା ବେଳେ ଏହା ଦୃତଗାମୀ। ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ମିରାଜଠାରୁ ଭଲ ବିକଳ୍ପ ଆଉ କୌଣସି ବି ବିମାନ ହୋଇପାରି ନଥାନ୍ତା।

ଭାରୀ ଜିନିଷ ଧାରଣ କରିବାରେ ମିରାଜର ସାମର୍ଥ୍ୟ ଅନ୍ୟ ଯୁଦ୍ଧ ବିମାନଙ୍କ ତୁଳନାରେ ବେଶି। ଆପଣ ଜାଣିଥିବେ ନିଶ୍ଚୟ ଯେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ମିରେଜ ୧୦୦୦ କିଲୋଗ୍ରାମର ବୋମା ଧାରଣ କରି ଆକାଶ ମାର୍ଗରେ ଉଡ଼ିଥିଲା।

ଫ୍ରେଞ୍ଚ୍‌ କମ୍ପାନି ତିଆରି କରିଥିବା ମିରାଜ ଯୁଦ୍ଧ ବିମାନ ୧୯୮୫ ମସିହାରେ ଭାରତୀୟ ବାୟୁ ସେନାରେ ସାମିଲ୍‌ ହୋଇଥିଲା। ଦୀର୍ଘ ୩୦ ବର୍ଷରୁ ଊର୍ଧ୍ୱ ହେବା ମିରାଜ୨୦୦୦ ଭାରତୀୟ ବାୟୁସେନାକୁ ସେବା ଦେଇ ଆସୁଛି।

ଫ୍ରାନ୍ସର ଡାସଲ୍ଟ ଏଭିଏସନ କମ୍ପାନି ଦ୍ବାରା ନିର୍ମିତ ୧୪.୩୬ ମିଟର ଲମ୍ବ ଏବଂ ୯୧.୩ ମିଟର ଓସାର(ଡେଣାକୁ ମିଶାଇ)ର ଏହି ବିମାନର ଫାଙ୍କା ଓଜନ ୭୫୦୦ କେଜି ହୋଇଥିବା ବେଳେ ଏହା ୯୫୦୦ କେଜିର ଯୁଦ୍ଧାସ୍ତ୍ର ଧରି ଉପରକୁ ଉଠିପାରିବ। ଏହା ମିନିଟକୁ ୬୦ ହଜାର ଫୁଟ ଉପରକୁ ଉଠିପାରିବାର ଦକ୍ଷତା ରଖିବା ସହ ଯେ କୌଣସି ପାଗରେ ମଧ୍ୟ ଅତି ନିମ୍ନ ଉଚ୍ଚତାରେ ମଧ୍ୟ ଉଡ଼ିପାରିବ। ବିଶେଷ କରି ଏହା ହେଉଛି ଏକକ ଇଞ୍ଜିନ ବିଶିଷ୍ଟ ଯୁଦ୍ଧ ବିମାନ ଯାହା ବିଭିନ୍ନ ବର୍ଗର ବୋମା ନିକ୍ଷେପ ଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ଛାଡ଼ିବା ଏବଂ ଲେଜର ଆଧାରିତ ବୋମା ମଧ୍ୟ ପକାଇବା ଭଳି ବହୁବିଧ କ୍ଷମତା ରଖିଛି। ଏଥିରେ ଏକକାଳୀନ ଏକାଧିକ ଲକ୍ଷ୍ୟସ୍ଥଳକୁ ନିଶାଣ କରିବା ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ରାଡାର ପ୍ରଣାଳୀ(ଥେଲସ୍-ଆରଡିଵାଇ) ଖଞ୍ଜାଯାଇଛି ଯାହା କି ଶତ ପ୍ରତିଶତ ସଠିକତା ହାସଲ କରିବାରେ ସକ୍ଷମ।

ଏଥି ସହିତ ଏହାର ନବୀକରଣ ପରେ ଏଥିରେ ରାତ୍ରି ଦୃଶ୍ୟମାନ କାଚର କକପିଟ୍ ଏବଂ ଅତ୍ୟାଧୁନିକ ଦିଗନିର୍ଣ୍ଣୟ ପ୍ରଣାଳୀ ଖଞ୍ଜାଯାଇଛି। ସେହିପରି ଏହାକୁ ସାମନା କରୁଥିବା ବିମାନ ଶତ୍ରୁପକ୍ଷ କି ମିତ୍ରପକ୍ଷର ତାହା ମଧ୍ୟ ଠଉରେପାରିବ। ଏଥି ସାଙ୍ଗକୁ ଏଥିରେ ରହିଥିବା ବହୁସ୍ତରୀୟ ରାଡାର, ଦଶ୍ୟମାନ ଦୂରତା ବାହାରେ ବି ଦେଖିବାର ପ୍ରଣାଳୀ ଏବଂ ସର୍ବୋପରି ଇଲେକ୍ଟ୍ରୋନିକ ନିୟନ୍ତ୍ରିତ ସମ୍ପୂର୍ଣ୍ଣ ଯୁଦ୍ଧ ବ୍ୟବସ୍ଥା(ଵାରଫେୟାର ସୁଟ୍) ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି। ତେଣୁ ବହୁ ଦୂରରୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟସ୍ଥଳକୁ ନିଶାଣ କରିବାରେ ଏହା ନିର୍ଭୁଲ୍ କାର୍ଯ୍ୟଦକ୍ଷତା ଦେଖାଇବ ବୋଲି ନିଶ୍ଚିତ ହୋଇ ବାୟୁସେନା ଏହାର ଉପଯୋଗ କରିଥିଲା।

ସମ୍ବନ୍ଧିତ ଖବର