ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନ ‘ମିରାଜ’ର ଚକ

ଲଖନଉ: ଚୋରି ହୋଇଗଲା ଯୁଦ୍ଧ ବିମାନ ମିରାଜର ଚକ | ଏ ସମ୍ପର୍କରେ ସୂଚନା ପାଇବା ପରେ ବାୟୁସେନା ଅଧିକାରୀମାନେ ଟ୍ରଲରକୁ ଜବତ କରିଥିବାବେଳେ ଡ୍ରାଇଭରକୁ ଅଟକ ରଖିଛନ୍ତି | ମିଳିଥିବା ସୂଚନା ମୁତାବକ ମିରାଜ ଯୁଦ୍ଧବିମାନଗୁଡିକ ପାଇଁ ଚକ ବା ଟାୟାର ସେଣ୍ଟ୍ରାଲ ଏୟାର କମାଣ୍ଡ ଷ୍ଟେସନ ଵିକେଟିରୁ ଯୋଧପୁରକୁ ପଠାଯାଉଥିଲା | ରାସ୍ତାରେ ଟ୍ରଲରର ଦଉଡି କାଟି ଲୁଟେରାମାନେ ଏହି ଲୁଟ କରିଥିଲେ | ଟ୍ରଲର ଡ୍ରାଇଭରଙ୍କ ଅଭିଯୋଗ ପରେ ଆଶିଆନା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୁଲିସର ସୂଚନାନୁସାରେ, ସହିଦ ପଥରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଉଛି।

ଉତ୍ତରପ୍ରଦେଶ ଲଖନଉରେ ଏକ ସେଣ୍ଟ୍ରାଲ୍ ଏୟାର କମାଣ୍ଡ ଷ୍ଟେସନ୍ ଅଛି | ମିରାଜ ଯୁଦ୍ଧ ବିମାନର ପାଞ୍ଚଟି ଟାୟାର ଏୟାରବେସରୁ ଯୋଧପୁର ଏୟାରବେସକୁ ପଠାଯାଉଥିଲା। ୨୭ ନଭେମ୍ବର ରାତିରେ, ରାତି ପ୍ରାୟ ୨ଟା ବେଳେ ଟ୍ରଲରଟି ଟାୟାର ଲୋଡ୍ କରି ଯୋଧପୁର ଅଭିମୁଖେ ବାହାରିଥିଲା | ଟ୍ରଲରର ଡ୍ରାଇଭରଙ୍କ କହିବା ଅନୁଯାୟୀ ସେ ସହିଦ ପଥ ଦେଇ କାନପୁର ଅଭିମୁଖେ ଯାଉଥିଲେ।

ତେବେ ସହିଦ ପଥରେ ଜାମ ଥିବାବେଳେ ଟ୍ରଲର ପଛରେ ଆସୁଥିବା ଏକ କଳା ସ୍କର୍ପିଓରୁ ଦୁଇଜଣ ବ୍ୟକ୍ତି ଦଉଡି କାଟି ଏକ ଟାୟାର ଚୋରି କରି ନେଇଯାଇଥିଲେ | ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଡ୍ରାଇଭର ହେମ ସିଂ ରାୱତଙ୍କ ଅଭିଯୋଗ ପରେ ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରିଥିଲା। ଏବେ ଘଟଣାର ଅନୁସନ୍ଧାନ ଜାରି ରହିଛି |

ସମ୍ବନ୍ଧିତ ଖବର