ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଏକ ସ୍ପେସାଲ୍‌ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କୁ ଜାମିନ ମଞ୍ଜୁର କରିଛନ୍ତି। କଳାଟଙ୍କା ଧଳା କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ କେସ୍‌ ଦାଏର କରିଥିଲା।

Advertisment

ସ୍ପେସାଲ୍‌ ସବିଆଇ କୋର୍ଟ ମିସା ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କୁ ଗୋଟିଏ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି। ତାହା ହେଲା ଅଦାଲତଙ୍କ ବିନା ଅନୁମତିରେ ସେମାନେ ଦେଶ ଛାଡ଼ି ଯାଇ ପାରିବେ ନାହିଁ।

ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଫାଇଲ୍‌ କରିଥିବା ଚାର୍ଜସିଟ୍‌କୁ ଆଧାର କରି ଅଦାଲତ ମିସା ଓ ତାଙ୍କ ସ୍ୱାମୀଙ୍କୁ ଆଜି ଅଦାଲତରେ ହାଜର ହେବାକୁ ଆଦେଶ ଦେଇଥିଲେ।

ମିସା ଓ ତାଙ୍କ ସ୍ୱାମୀଙ୍କ କମ୍ପାନି ‘ମେସର୍ସ ମିସ୍‌ହେଲ୍‌ ପ୍ୟାକର୍ସ ଆଣ୍ଡ୍‌ ପ୍ରିଣ୍ଟର୍ସ’ ନାମରେ ଦିଲ୍ଲୀରେ ଏକ ଫାର୍ମ ହାଉସ୍‌ ଖରିଦ କରିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ସେ ଜମି କିଣା ଉପରେ ମାମଲା ରୁଜୁ କରିଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟ କହିବା କଥା କି, ୨୦୦୮-୨୦୦୯ରେ ସେଲ୍‌କମ୍ପନି ଜରିଆରେ ୧.୨ କୋଟି ଟଙ୍କାର କଳାଟଙ୍କା ଧଳା କରାଯାଇ ଏହା ଖରିଦ କରାଯାଇଛି।

୮୦୦୦ କୋଟି ଟଙ୍କାର କଳାଟଙ୍କା ବଦଳ କରାଯାଇଥିବା ଘଟଣାରେ ବିଭିନ୍ନ ସେଲ୍‌ କମ୍ପାନି ସମ୍ପୃକ୍ତି ଥିବା ମାଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଥିବା ବେଳେ ଉକ୍ତ ଫାର୍ମ ହାଉସ୍‌ କଥା ବାହାରି ଥିଲା।