ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି କ୍ରମରେ ବିହାରରେ ବି ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଚଳିତଥର ନିର୍ବାଚନୀ ମଇଦାନକୁ ଓହ୍ଲାଇ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଓ ରୋହିଣୀ ଆଚ‌ାର୍ଯ୍ୟ  ଚର୍ଚ୍ଚାରେ ରହିଛନ୍ତି।

Advertisment

ସୋସିଆଲ ମିଡିଆରେ ଦୁଇଭଉଣୀଙ୍କ ନାମଙ୍କୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି। ତେବେ ଲାଲୁ ଯାଦବ ଉଭୟ ଝିଅଙ୍କ ନାମ ମିସା ଭାରତୀ ଓ ରୋହିଣୀ ଆଚ‌ାର୍ଯ୍ୟ କାହିଁକି ଓ କେଉଁ ପରିସ୍ଥିତିରେ ରଖିଥିଲେ ଆସନ୍ତୁ ଜାଣିବା।

୧୯୭୬ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ଏବଂ ବହୁ ବଡ ନେତାଙ୍କୁ ସେହି ସମୟର ସରକାର ଜେଲରେ ରଖିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ଆଇନ ଅଧୀନରେ ସରକାରଙ୍କୁ ବିରୋଧ କରୁଥିବା ନେତା ଓ କର୍ମଚାରୀମାନେ ଜେଲରେ ଥିଲେ, ତାହା ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା) ଭାବରେ ଜଣାଶୁଣା ଥିଲା।  ଜେଲରେ ଥିବା ନେତାଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ମଧ୍ୟ ସାମିଲ ହୋଇଥିଲେ।

ଜେପିଙ୍କ ସହ ଲାଲୁ ପ୍ରସାଦ ଯାଦବ ସେତେବେଳେ କଂଗ୍ରେସକୁ ବିରୋଧ କରୁଥିଲେ। ଏଭଳି ପରିସ୍ଥିତିରେ ଯେତେବେଳେ ପ୍ରଥମ ଝିଅର ନାମକରଣ ପ୍ରସଙ୍ଗ ସାମ୍ନାକୁ ଆସିଲା, ସେତେବେଳେ ଏହି ଆକ୍ଟ ଅନୁଯାୟୀ ଲାଲୁ ତାଙ୍କ ବଡ଼ ଝିଅର ନାମ ମିସା ରଖିଥିଲେ।

ସେହିପରି ଦ୍ବିତୀୟ ଝିଅଙ୍କ ନାମ ହେଉଛି ରୋହିଣୀ ଆଚାର୍ଯ୍ୟ।  ୧୯୭୯ମସିହାରେ ଲାଲୁ ଯାଦବଙ୍କ ପତ୍ନୀ ରାବଡ଼ି ଦେବୀ ପୁଣି ଥରେ ମା ହେବାକୁ ଯାଉଥିଲେ। ପ୍ରସବ ପୂର୍ବରୁ କିଛି ଜଟିଳତା ହେତୁ ରାବଡ଼ି ଦେବୀଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହି ସମୟରେ ଲାଲୁ ଯାଦବ ଅପରେସନ୍ ବିଷୟରେ ଶୁଣିବା ପରେ ଭୟ କରିଯାଇଥିଲେ।

ସଙ୍ଗେସଙ୍ଗେ ସେ ପାଟନାର ମହିଳା ଡାକ୍ତର କମଳା ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିଥିଲେ। କମଳା ଆଚାର୍ଯ୍ୟ ରାବଡ଼ି ଦେବୀଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ କିନ୍ତୁ କୌଣସି ଶୁଳ୍କ ନେବାକୁ ମନା କରି ଦେଇଥିଲେ।

ଏଥିସହିତ କହିଥିଲେ,‘ ଯଦି ମୋତେ କିଛି ଦେବାକୁ ଚାହୁଁଛ ତେବେ ତୁମ ଝିଅର ନା ମୋର ନାମର ଉପନାମ ରଖ।  ଏହା ମୋର ଦେୟ ହେବ ଏବଂ ଏହା ମଧ୍ୟ ମୋର ଭାଗ୍ୟ ହେବ ।’

ଏଥିସହିତ କୁହାଯାଏ ଯେ ଯେତେବେଳେ ଲାଲୁ ଯାଦବଙ୍କ ଦ୍ୱିତୀୟ ଝିଅ ଜନ୍ମ ହୋଇଥିଲେ, ସେତେବେଳେ ରୋହିଣୀ ନକ୍ଷତ୍ର ଚାଲିଥିଲା। ତେଣୁ ଲାଲୁ ତାଙ୍କ ଦ୍ବିତୀୟ ସନ୍ତାନଙ୍କ ନାମ ନକ୍ଷତ୍ର ଅନୁଯାୟୀ ରୋହିଣୀ ଓ ଡାକ୍ତରାଣୀଙ୍କ ଉପନାମ ଆଚାର୍ଯ୍ୟ ରଖିଥି‌ଲେ।