ବିନା ସଂସ୍ପର୍ଶରେ ଅସଦାଚରଣ ବି ପୋକ୍‌ସୋ ଅଧୀନରେ ଯାଇପାରିବ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁଯାୟୀ ଏକ କାର୍ଯ୍ୟକୁ ଯୌନ ଅସଦାଚରଣ ଭାବେ ବିବେଚନା କରାଯିବା ଲାଗି ‘ଚର୍ମ-ସହ-ଚର୍ମ’ ସଂସ୍ପର୍ଶ ଜରୁରୀ ନୁହେଁ ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଚର୍ମ-ସହ-ଚର୍ମ ସଂସ୍ପର୍ଶ ବିନା ଏକ ନାବାଳିକାର କୁଚମର୍ଦ୍ଦନକୁ ପୋକ୍‌ସୋ ଅଧୀନରେ ଯୌନ ଅସଦାଚରଣ କୁହାଯାଇପାରିବ ନାହିଁ ବୋଲି କହି ବମ୍ବେ ହାଇକୋର୍ଟ ଅଭିଯୁକ୍ତକୁ ଦୋଷମୁକ୍ତ କରିଥିବା ବେଳେ ‘ଏହା ଆଇନର ସଂକୀର୍ଣ୍ଣ ବ୍ୟାଖ୍ୟା’ ବୋଲି କହି ସର୍ବୋଚ୍ଚ ଅଦାଲତ ଉକ୍ତ ରାୟକୁ ଖାରଜ କରିଦେଇଛନ୍ତି।

ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ପିଲାମାନଙ୍କୁ ଯୌନ ଅସଦାଚରଣରୁ ସୁରକ୍ଷା‌ ଦେବା ଲାଗି ପୋକ୍‌ସୋ ଆଇନ ତିଆରି ହୋଇଛି। ଯୌନକାମନା ଚରିତାର୍ଥ ଉଦ୍ଦେଶ୍ୟ ଥାଇ ଯେ କୌଣସି ଅସଦାଚରଣ କଲେ ତାହା ପୋକ୍‌ସୋ ଅଧୀନରେ ଆସିବ। ସେଥିପାଇଁ ସ୍କିନ୍‌-ଟୁ ସ୍କିନ୍‌ ବା ଚର୍ମ-ସହ-ଚର୍ମର ସଂସ୍ପର୍ଶ ଜରୁରୀ ନୁହେଁ। ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ବମ୍ବେ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଯୁକ୍ତି କରିଥିଲେ ଯେ, ତା’ହେଲେ ଜଣେ ଲୋକ ସର୍ଜିକାଲ ଗ୍ଲୋବ୍ ପିନ୍ଧି ଜଣେ ନାବାଳିକାକୁ ଅସଦାଚରଣ କରିବ, ଆଉ ଚର୍ମଗତ ସଂସ୍ପର୍ଶ ହୋଇନାହିଁ ବୋଲି ତାକୁ କେହି ଦୋଷୀ କହିପାରିବେ ନାହିଁ ଓ ସେ ମୁକ୍ତ ଭାବରେ ବୁଲିପାରିବ। ବମ୍ବେ ହାଇକୋର୍ଟଙ୍କ ଏହି ରାୟକୁ ପରେ ଦୃଷ୍ଟାନ୍ତ ହିସାବରେ ଗ୍ରହଣ କରାଯିବ ଏବଂ ଭବିଷ୍ୟତରେ ଏହି ପ୍ରକାର ଅପରାଧ ବଢ଼ିବ ବୋଲି ସେ କହିଥିଲେ।

ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ଅଭିଯୁକ୍ତ ପାଇଁ କୋର୍ଟ ମିତ୍ର ଭାବେ ଲଢ଼ୁଥିବା ବେଳେ ତାଙ୍କ ଭଉଣୀ ତଥା ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା ଜାତୀୟ ମହିଳା କମିସନ ପକ୍ଷରୁ ଲଢ଼ୁଥିଲେ। ସୁପ୍ରିମ୍‌କୋର୍ଟ କହିଲେ ଯେ ଏଥର ଭାଇ ଓ ଭଉଣୀ ପରସ୍ପରକୁ ବିରୋଧ କରିବା ଦେଖାଗଲା। ଗତ ଜାନୁଆରି ୨୭ରେ ସୁପ୍ରିମ୍‌କୋର୍ଟ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚର ଜାନୁଆରି ୧୯ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଆଜିର ଶୁଣାଣିରେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର