ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଧର୍‌ ଜିଲ୍ଲାର କୁକ୍‌ଶୀରେ କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଗାରଙ୍କ ବିରୋ‌ଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜବଲପୁରର ଜଣେ ମହିଳାଙ୍କୁ ସେ ଦୁଷ୍କର୍ମ କରିଥିବା ଏବଂ ତାଙ୍କୁ ଗଭୀର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ ନାଉଗାଓଁ ଥାନାରେ ମାମଲା ହୋଇଛି। ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ ଲାଗିଛି। ସିଙ୍ଗାର ଗନ୍ଧୱାନି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି। ୨୦୧୯-୨୦୨୦ ମଧ୍ୟରେ ସେ ଜଙ୍ଗଲ ମନ୍ତ୍ରୀ ଥିଲେ। ଆଦିବାସୀ ସମ୍ପ୍ରଦାୟ ସହ ତାଙ୍କର ସମ୍ପୃକ୍ତି ପାଇଁ ସେ ବେଶ୍‌ ଜଣାଶୁଣା।

ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା କହିଛନ୍ତି, ବିଧାୟକ ଉମଙ୍ଗ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ସେ ବିବାହ କରିବାକୁ ମନା କରିଥିଲେ। ମହିଳା ବି‌ରୋଧ କରିବାରୁ ବିଧାୟକ ତାଙ୍କୁ ଏପ୍ରିଲ ୧୬, ୨୦୨୨ରେ ବିବାହ କରିଛନ୍ତି। କିନ୍ତୁ ବିବାହ ପରେ ତାଙ୍କୁ ସେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଅକ୍ଟୋବର ୨୬ରେ ସେ ତାଙ୍କୁ ମାରିବାକୁ ଚେଷ୍ଟା‌ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷେ ବିଧାୟକ କହିଛନ୍ତି, ତାଙ୍କ ପତ୍ନୀ ତାଙ୍କୁ ୧୦ କୋଟି ଟଙ୍କା ପାଇଁ ବ୍ଲାକମେଲ୍‌ କରୁଛନ୍ତି ଏବଂ ତାଙ୍କର ମାନହାନି କରୁଛନ୍ତି।

ସମ୍ବନ୍ଧିତ ଖବର