ମଧ୍ୟପ୍ରଦେଶର ବିଜେପି କାର୍ଯ୍ୟକର୍ତ୍ତା ପ୍ରବେଶ ଶୁକ୍ଳ ଜଣେ ଦଳିତ ଶ୍ରମିକଙ୍କ ଉପରେ ପରିସ୍ରା କରିବା ପରେ ଏହାକୁ କେନ୍ଦ୍ରକରି ରାଜନୀତି ଜୋର୍ ଧରିଛି। ଏହି ଘଟଣାରେ ଦଳର ଛବି ମଳିନ ହେଉଥିବା ଦେଖି ପ୍ରବେଶକୁ ଗିରଫ କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌହାନ ଉକ୍ତ ଶ୍ରମିକଙ୍କ ପାଦ ଧୋଇ କ୍ଷମା ମାଗିବା ଯାଏ କଥା ଯାଇଛି। ତେବେ ପ୍ରବେଶର ଘର ଉପରେ ପ୍ରଶାସନ ବୁଲ୍ଡୋଜର୍ ଚଲାଇବା ପରେ ପ୍ରସଙ୍ଗଟି ଆହୁରି ସରଗରମ ହୋଇଉଠିଛି। ପ୍ରବେଶର ପରିବାରକୁ ସମବେଦନା ଜଣାଇବାକୁ ଯାଇ Vivek Pandey ନିଜ @INDVivekPandey_ ଟ୍ବିଟର୍ ଆକାଉଣ୍ଟରୁ ଦୁଇଟି ଭିଡିଓ ପୋଷ୍ଟ କରି ସାଂଘାତିକ ଭାବେ ଟ୍ରୋଲ୍ ହୋଇଛନ୍ତି।
ଗୋଟିଏ ଭିଡିଓରେ ପ୍ରବେଶର ବାପା ତାଙ୍କର ଭଙ୍ଗା ହୋଇଥିବା ଘରେ ପୁଅ ପ୍ରବେଶର ଟଙ୍କାଟିଏ ବି ଲାଗିନଥିଲା, ତେଣୁ ତାଙ୍କ ଘର କାହିଁକି ଭଙ୍ଗାହେଉଛି ବୋଲି ପ୍ରଶ୍ନ କରୁଥିବା ବେଳେ ଆଉ ଏକ ଭିଡିଓରେ ପ୍ରବେଶର ମା’ ଓ ଭଉଣୀ ‘ଦୋଷ କଲା କିଏ, ଭୋଗୁଛି କିଏ’ ବୋଲି କହି ବାହୁନିବାହୁନି କାନ୍ଦୁଥିବା ଦୃଶ୍ୟ ରହିଛି। ଉତ୍ତରରେ କୁହାଯାଇଛି, ନିଜକୁ ବ୍ରାହ୍ମଣ ଦାବି କରିବାକୁ ହେଲେ ପ୍ରଥମେ ସଂସ୍କାରିତ ହେବାକୁ ପଡ଼ିବ। ଆପଣମାନେ ହେଲେ ବ୍ରହ୍ମାଙ୍କ ଅଂଶ; ଏପରି ଘୃଣ୍ୟ କୃତକାର୍ଯ୍ୟ ପାଇଁ ଯଦି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହୁଏ ଆପଣ ଏତେ ବ୍ୟସ୍ତ ହୋଇଯାଉଛନ୍ତି କାହିଁକି? ପ୍ରବେଶ ଉପରେ ଏନ୍ଏସ୍ଏ ମଧ୍ୟ ଲଗାଯାଇଛି, ତା’ମାନେ କ’ଣ ପ୍ରବେଶର କାର୍ଯ୍ୟ ଯୋଗୁଁ ଜାତୀୟ ସୁରକ୍ଷା ବିପନ୍ନ ହେଉଥିଲା? ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସେପରି କରାଯାଏ। ଭାଗ୍ୟ ଭଲ, ମୂଳ ପକ୍କାଘରଟିକୁ ଭଙ୍ଗାଯାଇନି, ଖାଲି ଆଗପଟ କଚ୍ଚା ଘରକୁ ଭଙ୍ଗାଯାଇଛି। ଅନ୍ୟ ପକ୍ଷରେ ଯୁକ୍ତି ହୋଇଛି, ଆଗକୁ ନିର୍ବାଚନ ନଥିଲେ ବିଜେପି ସରକାର ଏହି ପ୍ରସଙ୍ଗରେ ଉଁ କି ଚୁଁ କରିନଥାନ୍ତେ। ସବୁ ନିର୍ବାଚନ ଭେଳିକି। ପ୍ରବେଶକୁ ପୁଲିସ କୋର୍ଟକୁ ନେଉଥିବା ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି, ପୁଲିସ ଅଭିନୟ କରୁଛି। ତେଣୁ ଏସବୁ ଫାର୍ସ।