ଦେଶର ଦୁର୍ଭାଗ୍ୟ ଯେ ଅନେକ ଭଲ କାମ ରାଜନୀତି ମଧ୍ୟରେ ଫସିଯାଉଛି : ମୋଦୀ  

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆମଦେଶର ଦୁର୍ଭାଗ୍ୟ ଯେ ଭଲ ଉଦ୍ଦେଶ୍ୟ ନେଇ କରାଯାଇଥିବା କାମ ରାଜନୀତି ମଧ୍ୟରେ ଫସିରହିଯାଏ ।

ଦିଲ୍ଲୀର ପ୍ରଗତି ମୈଦାନ ମୁଖ୍ୟ ଟନେଲର ଉଦଘାଟନ କରିବା ଅବସରରେ ସେ ଏକଥା କହିଛନ୍ତି । ତେବେ ଏହା କରିବା ବେଳେ ସେ ଅଗ୍ନିପଥ ସ୍କିମକୁ ନେଇ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଓ ପୋଡ଼ାଜଳା ସଂପର୍କରେ କିଛି କହିନଥିଲେ । ତେବେ ଏହାକୁ ଲକ୍ଷ୍ୟ କରି ସେ ଏହି କଥା କହିଥିବା ମନେକରାଯାଉଛି ।

ସୂଚନାଯୋଗ୍ୟ ଯେ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ ସ୍କିମକୁ ନେଇ ବିହାର, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଯୁବକମାନେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାକୁ ନେଇ ସରକାର ଓ ସାମରିକ ବାହିନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ପରେ ବି ବିକ୍ଷୋଭ ଜାରି ରହିଛି ।

କଂଗ୍ରେସ, ସମାଜବାଦିପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ଏଆଇଏମଏମ ପ୍ରଭୃତି ଅନେକ ଦଳ ଏହି ସ୍କିମକୁ ସମାଲୋଚନା କରିବା ସହ ଆନ୍ଦୋଳନ କରୁଥିବା ଯୁବକମାନଙ୍କୁ ସମର୍ଥନ କରୁଛନ୍ତି । ଏପରିକି ରାଷ୍ଟ୍ରୀୟ ଜନତା ଦଳର ତେଜସ୍ବୀ ଯାଦବ ଅଗ୍ନିପଥ ସ୍କିମକୁ ଆରଏସଏସର ଏକ ଗୋପନ ଏଜେଣ୍ଡା ବୋଲି କହିଛନ୍ତି ।

 

ଗତ ବର୍ଷ ସରକାରଙ୍କ କୃଷି ଆଇନକୁ କେତେକ ରାଜ୍ୟର କୃଷକ ବିରୋଧ କରିବାକୁ ତାହାକୁ ସରକାର ପ୍ରତ୍ୟାହାର କରିନେଇଥିଲେ ।

ସମ୍ବନ୍ଧିତ ଖବର