ହାଇଦ୍ରାବାଦ: ଥାଇଲାଣ୍ଡର ଓପାଲ ସୁଚତା ୨୦୨୫ ମିସ୍ ୱାର୍ଲଡ (ବିଶ୍ବ ସୁନ୍ଦରୀ) ଟାଇଟଲ ହାସଲ କରିଛନ୍ତି। ଶନିବାର ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ମିସ୍ ୱାର୍ଲଡ ପ୍ରତିଯୋଗିତାର ଚୂଡ଼ାନ୍ତ ସମାରୋହରେ ସୁଚତାଙ୍କୁ ୨୦୨୪ ମିସ୍ ୱାର୍ଲଡ କ୍ରିଷ୍ଟିନା ପିସ୍କୋଭା ମୁକୁଟ ପିନ୍ଧାଇଥିଲେ। ଏହି ଐତିହାସିକ ବିଜୟ ଥାଇଲାଣ୍ଡକୁ ପ୍ରଥମ ଥର ପାଇଁ ମିସ୍ ୱାର୍ଲଡ ଟାଇଟଲ ଦେଇଛି। ବିଶ୍ବ ସୁନ୍ଦରୀ ଭାବେ ସୁଚତା ଏବେ ସାରା ବିଶ୍ୱରେ ନିଜର ନାମ ଓ ନିଜ ଦେଶର ନାମକୁ ଗୌରବାନ୍ବିତ କରିଛନ୍ତି। ଓପାଲ ସୁଚତା ‘ଇଣ୍ଟରନ୍ୟାସନାଲ ରିଲେସନ୍ସ’ର ଜଣେ ଛାତ୍ରୀ ଏବଂ ମଡେଲ। ଫାଇନାଲ୍ରେ ସେ ଏକ ଚମତ୍କାର ଗାଉନ୍ ପିନ୍ଧିଥିଲେ, ଯାହା ତାଙ୍କ ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସକୁ ଆହୁରି ବଢ଼ାଇଥିଲା।
ବିଜେତା ସୁଚତା ମନୋବିଜ୍ଞାନ, ମାନବ ବିଜ୍ଞାନରେ ଆଗ୍ରହୀ ଏବଂ ସେ ଜଣେ ରାଷ୍ଟ୍ରଦୂତ ହେବାକୁ ଚାହାନ୍ତି। ସେ ସ୍ତନକର୍କଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ପାଇଁ ସ୍ୱେଚ୍ଛାସେବୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ମିସ୍ ୱାର୍ଲଡ ୱେବସାଇଟ୍ ଅନୁଯାୟୀ, ଓପାଲ ସୁଚତା କେତେକ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ବିଶେଷ ପାରଙ୍ଗମ। ମିସ୍ ୱାର୍ଲଡ ସଂସ୍ଥାର ଅଧ୍ୟକ୍ଷ ଜୁଲିଆ ମୋର୍ଲେ ଜୁରିର ନେତୃତ୍ୱ ନେଇ ୭୨ତମ ମିସ୍ ୱାର୍ଲଡ ପ୍ରତିଯୋଗିତାର ବିଜେତା ଘୋଷଣା କରିଥିଲେ। ଇଥିଓପିଆର ହାସେଟ୍ ଡେରେଜ ମିସ୍ ୱାର୍ଲଡ-୨୦୨୫ର ପ୍ରଥମ ଉପବିଜେତା ଏବଂ ପୋଲାଣ୍ଡ୍ର ମାଜା କ୍ଲାଜ୍ଦା ଦ୍ବିତୀୟ ଉପବିଜେତା ହୋଇଛନ୍ତି। ମିସ୍ ୱାର୍ଲଡ ପ୍ରତିଯୋଗିତା ଅବସରରେ ତେଲେଙ୍ଗାନାରେ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଥିଲା। ସାରା ବିଶ୍ୱରୁ ୧୦୮ ଜଣ ପ୍ରତିଯୋଗୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଭାରତର ନନ୍ଦିନୀ ଗୁପ୍ତା ଶନିବାର ୭୨ତମ ମିସ୍ ୱାର୍ଲଡ ପ୍ରତିଯୋଗିତାର ଶ୍ରେଷ୍ଠ ୮ରେ ସ୍ଥାନ ପାଇଛନ୍ତି। ଯଦି ଗୁପ୍ତା ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥାନ୍ତେ, ତେବେ ସେ ସପ୍ତମ ଭାରତୀୟ ଭାବେ ମିସ୍ ୱାର୍ଲଡ ଟାଇଟଲ ଜିତିଥାନ୍ତେ। ୨୦୧୭ ମସିହାରେ ମାନୁଷୀ ଚିଲ୍ଲରଙ୍କ ମୁଣ୍ଡରେ ଏହି ମୁକୁଟ ସଜାଯାଇଥିଲା। ଭାରତର ପ୍ରଥମ ମିସ୍ ୱାର୍ଲଡ ଥିଲେ ରିତା ଫାରିଆ, ଯିଏ କି ୧୯୬୬ରେ ଏହି ଟାଇଟଲ ଜିତିଥିଲେ ଏବଂ ସେ ପ୍ରଥମ ଏସୀୟ ମିସ୍ ୱାର୍ଲଡ ମଧ୍ୟ ଥିଲେ। ୧୯୯୪ରେ ଐଶ୍ୱର୍ଯ୍ୟା ରାୟ, ୧୯୯୭ରେ ଡାଏନା ହେଡେନ୍, ୧୯୯୯ରେ ଯୁକ୍ତା ମୁଖୀ ଏବଂ ୨୦୦୦ରେ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲଡ ଟାଇଟଲ୍ ଜିତିଥିଲେ।