ସିରିଆ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼, ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ | ଆଜି ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଦମ୍ମେସକରେ ଇସ୍ରାଏଲ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ମାଡ଼ କରିଛି | ଆଉ ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସିରିଆର ସମ୍ବାଦ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଇସ୍ରାଏଲ୍ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ସିରିଆ ଏୟାର ଡିଫେନ୍ସ ଏଜେନ୍ସି ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଗୁଡିକ ଇସ୍ରାଏଲ୍ ନିୟନ୍ତ୍ରିତ ଗୋଲାନ୍ ହାଇଟ୍ସରୁ ଆସି ମାଡ଼ ହୋଇଥିବାବେଳେ ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସିରିଆର ବାୟୁ ପ୍ରତିରକ୍ଷା ଦଳର ଚାରିଜଣ ସଦସ୍ୟ ଆହତ ହୋଇଛନ୍ତି। ।

ଦମ୍ମେସକରେ ଥିବା ଅସ୍ତ୍ରଶସ୍ତ୍ର ଡିପୋକୁ ଇସ୍ରାଏଲ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିବାବେଳେ ଏହାପୂର୍ବରୁ ଏପ୍ରିଲ ୨୭ ରେ, ସିରିଆର ମଧ୍ୟ ଭାଗରେ ଇସ୍ରାଏଲର ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକରେ ୬ଜଣ ସୈନିକଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା |

ରିପୋର୍ଟରେ ଦର୍ଶାଯାଇଛି ଯେ ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ସିରିଆ ଉପରେ ଆକ୍ରମଣ କରୁଛି। ସୂଚନା ଥାଉ କି ଯେ ଲେବାନାନର ଶିଆ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ ସମେତ ତେହେରାନ ସମର୍ଥିତ ବାହିନୀ ସିରିଆର ଗୃହଯୁଦ୍ଧରେ ରାଷ୍ଟ୍ରପତି ବାଶାର ଅଲ-ଆସାଦଙ୍କୁ ସାହାଯ୍ୟ କରିଥିଲା । ଆଉ ସିରିଆରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଆସିଛି, ଯେଉଁ କାରଣରୁ ଲକ୍ଷ ଲକ୍ଷ ଲୋକ ଗୃହହୀନ ହୋଇପଡିଛନ୍ତି ଏବଂ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର