ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ଆବାସିକ ଆପାର୍ଟମେଣ୍ଟ୍‌ ଉପରେ ପଡ଼ିଲା ରୁଷ୍‌ କ୍ଷେପଣାସ୍ତ୍ର

କିଏଭ୍‌: ଆଜି କେନ୍ଦ୍ରୀୟ କିଏଭ୍ (କିବ୍) ନଗରୀର ଦକ୍ଷିଣପଶ୍ଚିମରେ ଥିବା ଅଞ୍ଚଳରେ ୨ଟ କ୍ଷେପଣାସ୍ତ୍ର ପଡ଼ିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ରଏଟର୍ସର ପ୍ରତିନିଧି ରିପୋର୍ଟ କରିଛନ୍ତି।

ସେ କହିଛନ୍ତି, ସେଥିରୁ ଗୋଟିଏ କ୍ଷେପଣାସ୍ତ୍ର ଝୁଲିୟାନି ବିମାନ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ପଡ଼ିଛି। ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କ୍ଷେପଣାସ୍ତ୍ରଗୁଡ଼ିକ ସେଭାସ୍ତୋପୋଲ୍‌ ଛକ ନିକଟ ଅଞ୍ଚଳରେ ପଡ଼ିଛି। କିନ୍ତୁ, କିଏଭ୍‌ ନଗରୀ ସରକାର କହିଛନ୍ତି କି, ଗୋଟିଏ କ୍ଷେପଣାସ୍ତ୍ର ଆବାସିକ ଅଟ୍ଟାଳିକା ଉପରେ ପଡ଼ିଛି।

ଏ ସଂକ୍ରାନ୍ତରେ ମେୟର୍‌ ଡିମିତ୍ରୋ କୁଲେବା ଟୁଇଟ୍‌ କରି ଲେଖିଛନ୍ତି: ଆମର ଚମକପ୍ରଦ, ଶାନ୍ତିପ୍ରଦ ସହର କିଏଭ୍‌ ରୁଷୀୟ ସ୍ଥଳସେନା ଆକ୍ରମଣ ଓ କ୍ଷେପଣାସ୍ତ୍ର ମାଡ଼ ସହି ଆଉ ଗୋଟାଏ ରାତି କଟାଇଛି। କ୍ଷେପଣାସ୍ତ୍ରରୁ ଗୋଟିଏ କିଏଭ୍‌ର ଆବାସିକ ଆପାର୍ଟମେଣ୍ଟ୍‌ରେ ମାଡ଼ ହୋଇଛି। ମୁଁ ବିଶ୍ବବାସୀଙ୍କୁ କହୁଛି: ରୁଷ୍‌କୁ ସମ୍ପୂର୍ଣ୍ଣ ଏକଘରିଆ କରନ୍ତୁ, ତା’ର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରନ୍ତୁ, ତା’ର ତୈଳ ନିଷେଧ କରନ୍ତୁ, ତା’ର ଅର୍ଥନୀତିକୁ ନଷ୍ଟ କରି ଦିଅନ୍ତୁ। ରୁଷୀୟ ଯୁଦ୍ଧ ଅପରଧୀମାନଙ୍କୁ ଅଟକାନ୍ତୁ। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।

Image Courtesy of India Today

ସେପଟେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ନାଟୋ ମିତ୍ରରାଷ୍ଟ୍ରମାନେ ଜାରି କରିଥିବା କଟକଣା ଯୋଗୁଁ ରୁଷ୍‌ ଫ୍ରେଞ୍ଚ୍‌ ଗିଆନାରୁ କ୍ଷେପଣାସ୍ତ୍ର ନିକ୍ଷେପ ବାତିଲ କରିଛି। ଟୁଇଟର୍‌ରେ ଗୋଟାଏ ନୂଆ ଭିଡିଓ ଜାରି କରି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି କହିଛନ୍ତି, ଆତ୍ମ ସମର୍ପଣ ପାଇଁ ମୁଁ ସେନାକୁ କହିଛି ଏବଂ ମୋତେ ଦେଶରୁ ସ୍ଥାନାନ୍ତର କରାଯିବ ବୋଲି ନେଟ୍‌ୱାର୍କରେ ଗୁଜବ ଉଠିଛି। କିନ୍ତୁ, ମୁଁ ଏଇଠି ଅଛି। ଆମେ ଅସ୍ତ୍ରତ୍ୟାଗ କରିବୁ ନାହିଁ। ଦେଶ ପାଇଁ ଲଢ଼ିବୁ।

ଏହାଛଡ଼ା, ଫ୍ରାନ୍‌ସ୍‌ ଆମକୁ ପ୍ରତିରକ୍ଷା ସାମଗ୍ରୀ ଯୋଗାଇବ ବୋଲି ମଧ୍ୟ ସେ ଟୁଇଟ୍‌ କରି କହିଛନ୍ତି।

ତେଣେ, ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ତା’ର ସୈନିକମାନେ ୟୁକ୍ରେନ୍‌ର ଦକ୍ଷିଣପୂର୍ବ ଜାପୋରିଝଝିଆ ଅଞ୍ଚଳରେ ଥିବା ମେଲିଟୋପୋଲ୍‌ ସହରକୁ ଅଧକାର କରିନେଇଛନ୍ତି। ୟୁକ୍ରେନ୍‌ରେ ଥିବା ସାମରିକ ଘାଟି ଉପରେ ରାତିସାରା ଆକ୍ରମଣ ପାଇଁ ରୁଷ୍‌ ବିମାନ ଓ ଜାହାଜରୁ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା।

ସମ୍ବନ୍ଧିତ ଖବର