କିବ୍ : ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ଘଟଣାକୁ ନେଇ ବିବାଦ ଜାରି ରହିଛି । କିଏ କ୍ଷେପଣାସ୍ତ୍ର ପକାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଭୟ ରୁଷ ଓ ୟୁକ୍ରେନ ଏହାକୁ ଖଣ୍ଡନ କରୁଛନ୍ତି । କିନ୍ତୁ ଆମେରିକା କହିଛି ଯେ ଏହା ୟୁକ୍ରେନର କ୍ଷେପଣାସ୍ତ୍ର ।

Advertisment

ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଛନ୍ତି ଯେ, ଏହା ୟୁକ୍ରେନର କ୍ଷେପଣାସ୍ତ୍ର ନୁହେଁ କ୍ଷେପଣାସ୍ତ୍ର ପଡ଼ିବା ସ୍ଥଳର ପରିଦର୍ଶନ ପାଇଁ ତାଙ୍କ ବିଶେଷଜ୍ଞ ଦଳକୁ ଛାଡ଼ିବାକୁ ସେ ଦାବି କରିଛନ୍ତି । । କିନ୍ତୁ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି ଯେ, ତାଙ୍କ ପ୍ରଶାସନର ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ରକୁ ରୁଷ ନିକ୍ଷେପ କରିନାହିଁ । ଅନ୍ୟପକ୍ଷରେ ପୋଲାଣ୍ଡ ପକ୍ଷରୁ କୁହାଯାଇଛି ଯେ କ୍ଷେପଣାସ୍ତ୍ରଗୁଡ଼ିକ ରୁଷ ଟେକନଲୋଜୀରେ ନିର୍ମିତ ହୋଇଥିଲେ ବି ସେଗୁଡ଼ିକ ରୁଷରୁ ଛଡ଼ାଯାଇଥିବା ନେଇ କୌଣସି ପ୍ରମାଣ ନାହିଁ ।

ଏହି ପ୍ରସଙ୍ଗରେ ରୁଷ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ୩ୟ ବିଶ୍ବଯୁଦ୍ଧକୁ ଉସୁକାଇବାକୁ ପାଶ୍ଚାତ୍ୟ ଦେଶମାନେ ହାଇବ୍ରିଡ୍ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ତାହାକୁ ପ୍ରମାଣିତ କରୁଛି । ରୁଷ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଥିଲା ଯେ, ନଭେମ୍ବର ୧୫ ତାରିଖ ଦିନ ପୋଲାଣ୍ଡ ସୀମାଠାରୁ ୩୫ କିଲୋମିଟର ଭିତରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଏଣୁ କ୍ଷେପଣାସ୍ତ୍ର ପୋଲାଣ୍ଡ ଯିବାର ସମ୍ଭାବନା ନାହିଁ । ମଙ୍ଗଳବାର ହୋଇଥିବା ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ୨ ଜଣ ବ୍ୟକ୍ତି ନିହତ ହୋଇଥିଲେ ।