ୟେମେନ : ସାମରିକ ପରେଡ୍‌ ବେଳେ କ୍ଷେପଣାସ୍ତ୍ର ମାଡ଼,୯ ମୃତ

ସାନା : ଉପସାଗରୀୟ ଦେଶ ୟେମେନରେ ରବିବାରଦିନ ଏକ ମିଲିଟାରୀ ପରେଡ ଚାଲିଥିବାବେଳେ ଏକ କ୍ଷେପଣାସ୍ତ୍ର ମାଡ଼ ହେବାରୁ ୯ ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତ ଓ ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ ସାଧାରଣ ଲୋକ ଓ ଶିଶୁ ରହିଥିବା ଜଣାଯାଇଛି । ଏହି କ୍ଷେପଣାସ୍ତ୍ର ଆକ୍ରମଣ ପଛରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନଙ୍କ ହାତ ଥିବା ସଂଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ୟେମେନର ଢାଲେ ରାଜ୍ୟର ରାଜଧାନୀ ଆଡ-ଦାଲି ସହରରେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ‘ସିକ୍ୟୁରିଟି ବେଲ୍‌ଟ ଫୋର୍ସ’ ପକ୍ଷରୁ ଏକ ଫୁଟବଲ ପଡ଼ିଆରେ ଏହି ପରେଡ୍‌ ଚାଲିଥିଲା । ଏହି ଫୋର୍ସରେ ଯୋଗ ଦେଇଥିବା ନୂଆ ଯବାନମାନଙ୍କୁ ନେଇ ଏହି ପରେଡ୍‌ ଚାଲିଥିଲା । ଏହି ସମୟରେ ଏକ ମିସାଇଲ ମାଡ଼ ହେବାରୁ ଘଟଣାସ୍ଥଳରେ ୯ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଘଟଣାରେ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଶିଶୁ ଥିବା ଜଣାପଡ଼ିଛି ।

ୟେମେନରେ ଏକାଧିକ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ଅଛନ୍ତି । ସିକ୍ୟୁରିଟି ବେଲ୍‌ଟ ଫୋର୍ସ ହେଉଛି ୟୁଏଇ ସମର୍ଥିତ ଏକ ବିଦ୍ରୋହୀ ସଂଗଠନ । ଏହା ଇରାନ ସମର୍ଥିତ ହୁତି ମାନଙ୍କ ବିରୁଦ୍ଧରେ ଲଢୁଛି । ୟେମେନରେ ଥିବା ସରକାରଙ୍କୁ ସାଉଦି ଆରବର ସମର୍ଥନ ରହିଛି । ଉଭୟ ୟେମେନର ସରକାରୀ ଫୋର୍ସ ଓ ସିକ୍ୟୁରିଟି ବେଲ୍‌ଟ ଫୋର୍ସ ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଲଢୁଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ମଧ୍ୟ ଶତ୍ରୁତା ରହିଛି ।

ସମ୍ବନ୍ଧିତ ଖବର