କିବ୍ : ମଙ୍ଗଳବାରଦିନ ରୁଷ ପକ୍ଷରୁ ୟୁକ୍ରେନର କେତେକ ସହର ଉପରେ ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ବିଶେଷକରି ପାଓ୍ବାର ଗ୍ରୀଡ, ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଏହି ଆକ୍ରମଣ ଫଳରେ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି ବୋଲି ୟୁକ୍ରେନ ସରକାର କହିଛନ୍ତି । କିବରେ ୩ଟି ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି ।
ଯୁଦ୍ଧରେ ରୁଷର କ୍ଷତି ବଢୁଥିବାବେଳେ, ରୁଷ ସେନା ୟୁକ୍ରେନର ପାୱାର ଗ୍ରୀଡକୁ ଟାର୍ଗେଟ କରିଚାଲିଛି । ଏହା ଫଳରେ ଶୀତଋତୁରେ ଲୋକମାନେ ଭୟଙ୍କର ଥଣ୍ଡାରେ ରହୁଛନ୍ତି । ଏପରିକି ହସପିଟାଲଗୁଡ଼ିକରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ।
ଯେଉଁ ଅଞ୍ଚଳରେ ଆକ୍ରମଣ ହୋଇଛି ସେଗୁଡିକ ମଧ୍ୟରେ ରହିଛି ଲଭିଭ୍, ଜିଟୋମିର, ଖମେଲନିଟସ୍କି ଏବଂ ରିଭନେ ଏବଂ ଉତ୍ତର-ପୂର୍ବରେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିବ୍ । ଏହାର ମେୟର ଓଲେକସାଣ୍ଡର ଭିଲକୁଲଙ୍କ କହିବା ଅନୁଯାୟୀ, ଅନେକ କ୍ଷେପଣାସ୍ତ୍ର ଆକ୍ରମଣ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନିଜ ସହରରେ ପଡ଼ିଥିଲା ।
ୟୁକ୍ରେନ ସରକାରଙ୍କ ପକ୍ଷରୁ ଜାରି ଏକ ଭିଡିଓରେ ଦେଖାଯାଉଛି ଯେ, କିବରେ ଏକ ପାଞ୍ଚ ମହଲା ଆବାସିକ କୋଠାରେ ନିଆଁ ଲାଗିଥିବାର ଦେଖାଯାଉଛି । ସହରର ମେୟର କହିଛନ୍ତି ଯେ ତିନୋଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି । ତେବେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅନ୍ୟ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି।