ମସ୍କୋ: ୟୁକ୍ରେନ ସୀମା ନିକଟ ଦକ୍ଷିଣ ବେଲଗୋରଡରେ ଆଜି ରୁଷ୍‌ର ଏକ ପରିବହନ ବିମାନ କ୍ଷେପଣାସ୍ତ୍ର ମାଡ଼ରେ ଜଳିଯାଇଛି। ୟୁକ୍ରେନ ସେନା ଏହି ବିମାନକୁ ଏସ୍‌-୩୦୦ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ରୁଷ୍‌ ଦାବି କରିଥିବା ବେଳେ ଏହା ପଛରେ ରୁଷ୍‌ର ଷଡ଼ଯନ୍ତ୍ର ଥାଇପାରେ ବୋଲି ୟୁକ୍ରେନ କହିଛି। ଆଜି ପୂର୍ବାହ୍ନ ୧୧ଟାରେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଏହାର କିଛି ଘଣ୍ଟା ପରେ ଉଭୟ ରାଷ୍ଟ୍ର ବୟାନ ଜାରି କରି ପରସ୍ପରକୁ ଦାୟୀ କରିଛନ୍ତି। ବିମାନରେ ୬୫ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ସମେତ ମୋଟ ୭୪ ଜଣ ଥିଲେ ଏବଂ ସମସ୍ତଙ୍କର ମୃତ୍ୟୁ ହୋଇଥିବା ରୁଷ୍‌ ସାମରିକ ବିଭାଗ ପ୍ରକାଶ କରିଛି। ଏହି ଯୁଦ୍ଧବନ୍ଦୀମାନଙ୍କୁ ବିଭିନ୍ନ ଅଞ୍ଚଳରୁ ରୁଷ୍‌ ସୈନିକମାନେ କାବୁ କରିଥିଲେ ଏବଂ ସେମାନଙ୍କୁ ରୁଷ୍‌ର ଏକ ସାମରିକ ଘାଟିକୁ ନିଆଯାଉଥିଲା। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସାମରିକ ପରିବହନ ବମାନ ଇଲ୍ୟୁସିନ-୭୬ରେ ଥିବା ୭୪ ଜଣଙ୍କ ମୃତ୍ୟୁ ପାଇଁ ୟୁକ୍ରେନ ଦାୟୀ ଏବଂ ୟୁକ୍ରେନ୍‌ ନିଜ ସୈନିକଙ୍କୁ ଟାର୍ଗେଟ୍‌ କରି ବିମାନ ଉଡ଼ାଇ ଦେଇଛି। ସୂଚନାଯୋଗ୍ୟ, ବେଲଗୋରଡ ୟୁକ୍ରେନ୍‌ ସୀମାକୁ ଲାଗିଥିବା ବେଳେ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଲଗାତାର କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି। ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନକୁ ଏଭଳି ଟାର୍ଗେଟ୍‌ କରାଯିବା ଚଳିତ ଯୁଦ୍ଧରେ ପ୍ରଥମ ଘଟଣା ହୋଇଥିବା ବେଳେ ଏହା ଯୁଦ୍ଧବନ୍ଦୀ ଅଦଳ ବଦଳ ପ୍ରକ୍ରିୟା ପାଇଁ ଏକ ବଡ଼ ଝଟ୍‌କା ହୋଇଛି।