ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶସ୍ଥିତ ଭାରତ-ଚୀନ ସୀମା ନିକଟରୁ ଗତ ୧୮ ତାରିଖରୁ ନିଖୋଜ ଥିବା ଭାରତୀୟ ଯୁବକ ମିରାମ ଟାରୋନକୁ ଫେରାଇବାକୁ ଚୀନ ସେନା(ପିଏଲଏ) ରାଜି ହୋଇଛି । ଖୁବଶୀଘ୍ର ଉକ୍ତ ଯୁବକକୁ ଛାଡ଼ିବାର ସ୍ଥାନ ଓ ତାରିଖ ସମ୍ପର୍କରେ ଚୀନ ସେନା ପକ୍ଷରୁ ଜଣାଇଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସୀମା ନିକଟରେ ବୁଲୁଥିବାବେଳେ ମିରାମ ଟାରୋନକୁ ଗତ ୧୮ତାରିଖରେ ପିଏଲଏ ପକ୍ଷରୁ ଅପହରଣ କରିନିଆଯାଇଥିଲା । ତେବେ ତା’ ସହିତ ଥିବା ଅନ୍ୟ ଜଣେ ଯୁବକ ଖସିଆସି ସ୍ଥାନୀୟ ପ୍ରଶାସନ ଓ ଭାରତୀୟ ସେନାକୁ ଜଣାଇଥିଲା । ଏହା ପରେ ଏହି ଅପହରଣ ସଂପର୍କରେ ସ୍ଥାନୀୟ ବିଜେପି ସାଂସଦ ଟାପିର ଗାଓ ଟୁଇଟ୍ କରି ଜଣାଇଥିଲେ । ଏହା ପରେ ଭାରତୀୟ ସେନା ଓ ସରକାରଙ୍କ ପକ୍ଷରୁ ଉକ୍ତ ଯୁବକକୁ ମୁକ୍ତ କରିବାକୁ ସେନା ହଟଲାଇନ ମାଧ୍ୟମରେ ପିଏଲଏ ସହିତ ସଂପର୍କ କରାଯାଇଥିଲା । କୂଟନୈତିକ ସ୍ତରରେ ବି ଏ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ପରେ ଚୀନ ପକ୍ଷରୁ ଉକ୍ତ ଯୁବକ ତାଙ୍କ ନିକଟରେ ଥିବା ସ୍ବୀକାର କରାଯିବା ସହ ତାଙ୍କୁ ଛାଡ଼ିବାକୁ ସଂକେତ ଦିଆଯାଇଛି । ଖୁବଶୀଘ୍ର ଉକ୍ତ ଯୁବକକୁ ଛାଡ଼ିବାର ସ୍ଥାନ ଓ ତାରିଖ ସମ୍ପର୍କରେ ଚୀନ ସେନା ପକ୍ଷରୁ ଜଣାଇଦିଆଯିବ । ଖରାପ ପାଗ ଯୋଗୁଁ ଏହି କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି ।