ନୂଆଦିଲ୍ଲୀ : ମହାରାଷ୍ଟ୍ରର ଜଣେ ବିଜେପି ନେତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମହାରାଷ୍ଟ୍ର ବିଜେପି ବିଭାଗର ସଂଖ୍ୟାଲଘୁ ଶାଖା ମୁଖ୍ୟ ସନା ଖାନ୍ କିଛିଦିନ ହେଲା ନିଖୋଜ ଥିଲେ। ସନା ଗତ ୨ ତାରିଖରେ ମହାରାଷ୍ଟ୍ରର ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ। ଜବଲପୁରରେ ସେ ତାଙ୍କ ସ୍ବାମୀ ଅମିତ ଓରଫ ପପୁ ସାହୁକୁ ଭେଟିବାକୁ ଯାଇଥିଲେ। ଦୁଇ ଦିନ ମଧ୍ୟରେ ନାଗପୁର ଫେରି ଆସିବା କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେ ନାଗପୁର ଫେରିଲେନି କି ତାଙ୍କର କିଛି ପତ୍ତା ମିଳିଲାନି। ଏହାପରେ ସନାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କଲା। ଜବଲପୁର ଓ ନାଗପୁର ପୁଲିସର ମିଳିତ ଅପରେସନ୍ ଦ୍ବାରା ପ୍ରକୃତ ରହସ୍ୟ ପଦାକୁ ଆସିଲା।
ଅମିତ ସନାଙ୍କୁ କିଛି ଆର୍ଥିକ କାରଣ ପାଇଁ ହତ୍ୟା କରିଥିବା ଜଣାପଡ଼ିଛି। ଅମିତ ମଦ ଚୋରା କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପୁଲିସ ତଦନ୍ତ ସମୟରେ ଅମିତ ସନା ଖାନ୍ଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ସେ ସନାଙ୍କୁ ନିଜ ଘରେ ପିଟିପିଟି ହତ୍ୟା କରିବା ପରେ ଶବକୁ ନେଇ ଜବଲପୁରଠାରୁ ୪୫ କିମି ଦୂର ହୀରନ ନଦୀରେ ପକାଇ ଦେଇଛି। ପୁଲିସ ଏବେ ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଅଭିଯୁକ୍ତ ଅମିତ ଗିରଫ ହୋଇଛି। ପୁଲିସ ଅନୁଯାୟୀ ସନା ଓ ଅମିତଙ୍କ ମଧ୍ୟରେ ସମ୍ପତ୍ତି ମାମଲା ନେଇ ଦୀର୍ଘ ଦିନ ଧରି ବିବାଦ ଥିଲା। ସନା ଅମିତକୁ ଭେଟିବାପାଇଁ ନାଗପୁରରୁ ଜବଲପୁର ଯାଇଥିଲେ। ସେମାନଙ୍କ ମଧ୍ୟରେ ସାକ୍ଷାତ ସମୟରେ ପ୍ରବଳ ବଚସା ହୋଇଥିଲା। ପୁଲିସ ଅନୁଯାୟୀ ଉକ୍ତ ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ବି ସମ୍ପୃକ୍ତ। ତାକୁ ଧରିବାପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।