୩ ବର୍ଷ ବୟସରେ ହଜି ଯାଇଥିବା ଶିଶୁ ୯ ବର୍ଷ ବୟସରେ ଘରକୁ ଫେରିଲା, ମୁଣ୍ଡରେ ଥିବା ଚିହ୍ନ ହେତୁ ଚିହ୍ନି ପାରିଥିଲେ ବାପା

ନୂଆଦିଲ୍ଲୀ: ଜଣେ ଶିଶୁ ୩ ବର୍ଷ ବୟସରେ ଦିଲ୍ଲୀର ଲହୋରି ଗେଟ୍‌ଠାରେ ନିଜ ପରିବାର ଲୋକଙ୍କ ଗହଣରୁ କେଉଁ ଆଡ଼କୁ ଚାଲି ଯାଇଥିଲା। ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଜାରି ରଖିଥିଲା। ଶିଶୁ ହଜିବାର ୬ ବର୍ଷ ପରେ ଶୁକ୍ରବାର ପୁଲିସ୍‌ ଶିଶୁଟିକୁ ତାଙ୍କ ପରିବାର ଲୋକଙ୍କୁ ଧରାଇବା ପରେ ପରିବାର ଲୋକଙ୍କ ଖୁସିର ସୀମା ନାହିଁ। ଶିଶୁଟିର ମୁଣ୍ଡ ଉପରେ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚକୁ ଦେଇଥିଲେ। କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଜାରି ରଖି ପିଲାଟିକୁ ପାଇବାରେ ସମର୍ଥ ହୋଇଛି।

ଶିଶୁଟି ଲହୋରି ଗେଟ୍‌ ନିକଟସ୍ଥ ଡିଡିଆର୍‌ ଲାଇନ୍‌ର ଏକ ବସ୍ତିରୁ ୨୦୧୨ ମସିହା ମେ ୨୧ ତାରିଖରେ ହଜି ଯାଇଥିଲା। ଶିଶୁଟି ହଜିବା ପରେ ବାପାମାଆ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଶିଶୁଟିକୁ ଖୋଜିବା ପାଇଁ ସହରର ସମସ୍ତ ରେଳବାଇ ଷ୍ଟେସନ୍‌ ଓ ରେଳଗୁଡ଼ିକରେ ଟିକ୍‌ ନିକ୍‌ କରି ଖୋଜି ଦେଖିଥିଲା।

ଚଳିତବର୍ଷ ଜୁନ୍‌ ୨୦ ତାରିଖରେ ପୁଲିସ୍‌କୁ ସୂଚନା ମିଳିଥିଲା ହଜି ଯାଇଥିବା ଶିଶୁଟି ପଞ୍ଜାବ ହୁସେନ୍‌ପୁରରେ ଏକ ପରିବାର ସହ ରହୁଛି। ଶିଶୁଟିକୁ ଦେଖିବା ପାଇଁ ପୁଲିସ୍‌ ସହ ଶିଶୁଟିର ବାପା ବି ଯାଇଥିଲେ। ତା’ର ମୁଣ୍ଡରେ ଥିବା ଦାଗ ଦେଖିବା ପରେ ଶିଶୁଟିର ବାପା ତାଙ୍କୁ ତତ୍‌କ୍ଷଣାତ ଚିହ୍ନି ପକାଇଲେ।

ଶିଶୁଟି ହଜିବା ସମୟରେ ତା’ ବାପାମାଆଙ୍କ ସହ ବସ୍ତିରେ ରହୁଥିଲା। ତାଙ୍କ ଘରଟି ରେଳ ଧାରଣାକୁ ପ୍ରାୟ ଲାଗିକରି। ସେ ଅନ୍ୟ ପିଲାଙ୍କ ସହ କେଳୁଥିବା ଅବସ୍ଥାରେ ହଠାତ ଆଉ ମିଳିନଥିଲା।

୨ ବର୍ଷ ତଳେ ପିଲାଟି ଏକ ଲୋକାଲ ଟ୍ରେନ୍‌ରେ ନିଶହାୟ ଅବସ୍ଥାରେ ବୁଲୁଥିବା ବେଳେ ଜଣେ ଭଦ୍ର ପରିବାରଙ୍କ ଦୃଷ୍ଟିରେ ପଡ଼ିଥିଲା। ସେମାନେ ପିଲାଟିକୁ ନିଜ ସାଙ୍ଗରେ ନେଇ ଯାଇଥିଲେ। ପୁଲିସ୍‌ ପିଲାଟିକୁ ଖୋଜିବା ପାଇଁ ଯେଉଁ ପୋଷ୍ଟର୍‌ ଜାରି କରିଥିଲା ତାହାକୁ ଦେଖି ପିଲାଟିକୁ ନିଜ ଘରକୁ ନେଇଥିବା ବ୍ୟକ୍ତି ଜଣକ ପୁଲିସ୍‌ ସହ ଯୋଗାଯୋଗ କଲେ। ଯୋଗାଯୋଗ ପରେ ପୁଲିସ୍‌ ସହ ପିଲାର ବାପା ଯାଇ ପିଲାଟିକୁ ଚିହ୍ନି କରି ଫେରାଇ ଆଣିଛନ୍ତି। ପିଲାଟିର ବୟସ ଏବେ ୯ ବର୍ଷ।

ସମ୍ବନ୍ଧିତ ଖବର