ଉତ୍ତରପ୍ରଦେଶ ରାଜନୀତି ସରଗରମ
ସପା ନେତାଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ
ସପା ବିରୋଧରେ ବର୍ଷିଲେ ବିଜେପି, ବିଏସ୍‌ପି
ପୀଡ଼ିତାଙ୍କ ମା’ ଅଖିଳେଶଙ୍କ ଗାଡ଼ି ଆଗକୁ କୁଦିପଡ଼ିଥିଲେ

Advertisment

ଉନ୍ନାଓ  : ଉତ୍ତରପ୍ରଦେଶର ଉନ୍ନାଓରୁ ୨ ମାସ ଧରି ନିଖୋଜ ହୋଇ ଯାଇଥିବା ଜଣେ ୨୨ ବର୍ଷୀୟା ଦଳିତ ମହିଳାଙ୍କ ଗଳିତ ଶବ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଆଶ୍ରମ ନିକଟସ୍ଥ ଏକ ଖୋଲା ଜମିରୁ ମିଳିଛି। ସମାଜବାଦୀ ପାର୍ଟି ସରକାରରେ ଜଣେ ପୂର୍ବତନ ମନ୍ତ୍ରୀ ଫତେ ବାହାଦୁର ସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିବା ଆଶ୍ରମ ନିକଟ‌ରେ ଥିବା ଏକ ଖୋଲା ଜମିରୁ ଦଳିତ ମହିଳାଙ୍କ ମୃତଦେହ ମିଳିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଫତେହ ବାହାଦୁରଙ୍କ ପୁଅ ରାଜୋଲ ସିଂହ। ଉନ୍ନାଓ ଅତିରିକ୍ତ ଏଏସ୍‌ପି ଶଶି ଶେଖର ସିଂହ କହିଛନ୍ତି, ଅଭିଯୁକ୍ତ ରାଜୋଲ ସିଂହଙ୍କୁ ଜେରା କରାଯାଇଥିଲା। ଜେରା ଆଧାରରେ ଏସ୍‌ଓଜି ଟିମ୍‌ ଗୁରୁବାର ଦିନ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ମାରି ତାଙ୍କୁ ମାଟିତଳେ ପୋତି ଦିଆଯାଇଥିଲା। ଇତି ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ପୀଡ଼ିତା ମହିଳାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି‌ ଯେ ତାଙ୍କ ବେକ ଭାଙ୍ଗି ଯାଇଛି।

ପୀଡ଼ିତା ମହିଳାଙ୍କ ମା’ ନ୍ୟାୟ ପାଇଁ ଦୀର୍ଘ ୨ ମାସ ଦୌଡ଼ିଛନ୍ତି। ଶେଷରେ ମହିଳାଙ୍କ ମୃତଦେହ ଜବତ ହୋଇଛି। ପୀଡ଼ିତାଙ୍କ ମା’ ଦାବି କରିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ଫତେ ବାହାଦୁର ସିଂହଙ୍କ ପୁଅ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ସାରିଥିବା ବେଳେ ଉକ୍ତ ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇ ସାରିଛି। ବିଜେପି ଏବଂ ବିଏସ୍‌ପି ସମାଜବାଦୀ ପାର୍ଟି (ସପା) ବିରୋଧରେ ବର୍ଷିଛନ୍ତି। ନ୍ୟାୟରେ ବିଳମ୍ବ କରିଥିବାରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଉଭୟ ବିଜେପି ଏବଂ ବିଏସ୍‌ପି ବର୍ଷିଛନ୍ତି।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅଖିଳେଶଙ୍କୁ ସମାଲୋଚନା କରିଛନ୍ତି। ଅଖିଳେଶ ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ମୌର୍ଯ୍ୟ କହିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ଏହି ପ୍ରସଙ୍ଗରେ ସପା ବିରୋଧରେ ବର୍ଷିଛନ୍ତି। ମାୟାବତୀ ଏକ ଟ୍ବିଟ୍‌ କରି କହିଛନ୍ତି, ସପା ନେତାଙ୍କ ଜମିରୁ ଜଣେ ଦଳିତ ମହିଳାଙ୍କ ମୃତଦେହ ମିଳିବା ଅତି ଦୁଃଖଦ ଏବଂ ଗମ୍ଭୀର ବ୍ୟାପାର। ସପା‌ ନେତାଙ୍କର ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୀଡ଼ିତାଙ୍କ ପରିବାର ସଦସ୍ୟ ଅଭି‌ଯୋଗ କରିଛନ୍ତି। ରାଜ୍ୟ ସରକାର ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୀଡ଼ିତା ମହିଳା ଗତ ଡିସେମ୍ବରରୁ ନିଖୋଜ ଥିଲେ। ଡିସେମ୍ବର ୮ରେ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ପୀଡ଼ିତାଙ୍କ ମା’ ପୂର୍ବମନ୍ତ୍ରୀ ଫତେ ବାହାଦୁର ସିଂହଙ୍କ ପୁଅକୁ ଏଥିପାଇଁ ଦାୟୀ କରିଥିଲେ। କିନ୍ତୁ ପୁଲିସ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିନଥିଲା। ପୀଡ଼ିତାଙ୍କ ମା’ ଘଟଣାରେ ନ୍ୟାୟ ଦାବି କରି ଜାନୁଆରି ୨୪ରେ ଅଖିଳେଶଙ୍କ ଗାଡ଼ି ଆଗକୁ ଡେଇଁ ପଡ଼ିଥିଲେ। ଏହାପରେ ମାମଲା ଅତି ଗମ୍ଭୀର ହୋଇଯିବାରୁ ପୁଲିସ ରା‌ଜୋଲ ସିଂହଙ୍କୁ ଗିରଫ କରି ଜେଲ୍‌ ପଠାଇଦେଲା।