ତିରୁଅନନ୍ତପୁରମ୍‌: କେରଳ ତିରୁଅନନ୍ତପୁରମ୍‌ର ଜଣେ ୫୯ ବର୍ଷୀୟ ବ୍ୟକ୍ତି ରବୀନ୍ଦ୍ରନ୍‌ ନୈୟାର ୨ ଦିନ ଧରି ନିଖୋଜ ହୋଇଯାଇଥିଲେ। ତାଙ୍କର ପତ୍ତା ମିଳୁନଥିଲା। ପରିବାର ଲୋକ ଏନେଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ୨ ଦିନ ପରେ ରବୀନ୍ଦ୍ରନ୍‌ ତିରୁଅନନ୍ତପୁରମର ଏକ ସରକାରୀ ହସ୍ପିଟାଲ ଲିଫ୍ଟରୁ ମିଳିଛନ୍ତି। ତିରୁଅନନ୍ତପୁରମ ମେଡିକାଲ କଲେଜ ଓପି ବ୍ଲକ୍‌ ଲିଫ୍ଟରେ ସେ ଗତ ଶନିବାରଠାରୁ ଫସି ରହିଥିଲେ। ରବୀନ୍ଦ୍ରନ ଶନିବାର ଦିନ ତାଙ୍କ ପତ୍ନୀଙ୍କ ସହ ହସ୍ପିଟାଲ୍‌ ଯାଇଥିଲେ। ‌ସେହି ହସ୍ପିଟାଲ୍‌ରେ ତାଙ୍କ ପତ୍ନୀ କାମ କରନ୍ତି। ପତ୍ନୀ ତାଙ୍କୁ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବାପରେ କାମରେ ଯୋଗ ଦେଇଥିଲେ। କିନ୍ତୁ ରବୀନ୍ଦ୍ରନ ଘରକୁ ଫେରିବାପାଇଁ ଲିଫ୍ଟରେ ପଶିଥିଲେ।

Advertisment

ପ୍ରଥମ ମହଲାକୁ ଯିବାପାଇଁ ରବୀନ୍ଦ୍ରନ ଲିଫ୍ଟରେ ପଶିଥିଲେ। ଲିଫ୍ଟ ତଳକୁ ଖସିଥିଲେ ମଧ୍ୟ ଖୋଲିନଥିଲା। ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ବି ତାଙ୍କ କଥା କେହି ଶୁଣିନଥିଲେ। ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ସୁଇଚ ଅଫ୍‌ ହୋଇଗଲା। ଲିଫ୍ଟଟି ୨ଟି ମହଲା ମଧ୍ୟରେ ଫସି ଯାଇଥିଲା। ଏହି ସମୟରେ ତାଙ୍କ ଫୋନ୍‌ ତଳେ ପଡ଼ି ଭାଙ୍ଗି ଯାଇଥିଲା। ସେ ଲିଫ୍ଟ ମଧ୍ୟରେ ଥିବା ଆଲାର୍ମ ଦବାଇଥିଲେ ଏବଂ ଲିଫ୍ଟ ଫୋନ୍‌ ଲଗାଇଥିଲେ କିନ୍ତୁ କୌଣସି ଉତ୍ତର ମିଳିନଥିଲା। ଶେଷରେ ସେ ନିରାଶ ହୋଇ ରହିଥିଲେ। ଏହାପରେ ସେ ଜାଣିଥିଲେ ଯେ ଏହା ଦ୍ବିତୀୟ ଶନିବାର ଏବଂ ରବିବାର ଥିବାରୁ କେହି ଆସୁନାହାନ୍ତି। ଆଜି ସକାଳେ ଲିଫ୍ଟ ଅପରେଟର ଆସିବାପରେ ରବୀନ୍ଦ୍ରନ ଆଲାର୍ମ ବଜାଇଥିଲେ ଏବଂ ଏହାପରେ ଉଭୟ ବଳପୂର୍ବକ ‌ଡୋର୍‌ ଖୋଲିବାକୁ ଚେଷ୍ଟା କରିବାପରେ ସେ ବାହାରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।