ଭାରତୀୟ ହାଇକମିଶନ କର୍ମଚାରୀଙ୍କୁ ଗିରଫ କରାଯାଇଛି : ପାକିସ୍ତାନୀ ଗଣମାଧ୍ୟମ

ପାକିସ୍ତାନକୁ ଭାରତର ଚେତାବନୀ- ଗିରଫ ଭାରତୀୟ କର୍ମଚାରୀଙ୍କୁ ଜେରା କରିପାରିବ ନାହିଁ

ନୂଆଦିଲ୍ଲୀ : ଆଜି ସକାଳୁ ନିଖୋଜ ଥିବା ଇସ୍ଲାମାବାଦରେସ୍ଥିତ ଭାରତୀୟ ହାଇକମିଶନର ଦୁଇଜଣ କର୍ମଚାରୀଙ୍କୁ ସିଲଭାସେସ ପଲ ଓ ଡି. ବ୍ରହ୍ମଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିବା ପାକିସ୍ତାନ ଗଣମାଧ୍ୟମ କହିଛି । ଗାଡ଼ି ଦୁର୍ଘଟଣା ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ସେମାନେ ଚଳାଉଥିବା ବିଏମଡବ୍ଲୁ ଜଣେ ପଦଚାରୀଙ୍କୁ ଧକ୍କା ଦେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସକୁ ଦେଇଥିଲେ ।

ତେବେ ପୁଲିସ ନୁହେଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତ ସରକାର ସଂଦେହ କରୁଛନ୍ତି । ଗତ ମାସରେ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ କର୍ମଚାରୀଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଭାରତ ସରକାର ବିତାଡ଼ିତ କରିବା ଜବାବରେ ପାକିସ୍ତାନ ଏହା କରିଥିବା କୁହାଯାଉଛି ।


ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ପ୍ରତିବାଦ କରିଛି । ଭାରତୀୟ କର୍ମଚାରୀଙ୍କୁ ଜେରା ବା ନିର୍ଯ୍ୟାତନା ନ ଦେବାକୁ ଭାରତ ସରକାର ସତର୍କ କରାଇଦେଇଛନ୍ତି । ସଂପୃକ୍ତ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ ପାକିସ୍ତାନ ସରକାରଙ୍କର ବୋଲି ନୂଆଦିଲ୍ଲୀ କହିଛି । ଗିରଫ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ମୁକ୍ତ କରିବା ସହ ତାଙ୍କର କାର ଫେରାଇ ଦେବାକୁ ପାକିସ୍ତାନକୁ ଭାରତ ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ସକାଳ ସାଢେ ୮ଟା ବେଳେ ଏହି ଦୁଇ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ । ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ । ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର