ନୂଆଦିଲ୍ଲୀ: ଆମେରିକାର ଇଣ୍ଡିଆନା ରାଜ୍ୟର ପର୍ଜୁ ୟୁନିଭର୍ସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ୍‌ ଆଚାର୍ଯ୍ୟ ମୃତ ବୋଲି ଆଜି ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି।

Advertisment

ପର୍ଜୁ ୟୁନିଭର୍ସିଟିର ଜନ୍‌ ମାର୍ଟିସନ୍‌ ଅନର୍ସ କଲେଜରେ ଦୁଇଟି ବିଷୟ (କମ୍ପ୍ୟୁଟର୍‌ ସାଇନ୍‌ସ୍‌ ଓ ଡାଟା ସାଇନ୍‌ସ୍‌) ପଢୁଥିବା ନୀଲ୍‌ ଆଚାର୍ଯ୍ୟ ନିଖୋଜ ହୋଇଯାଇଥିବା ସୂଚନା ରବିବାର ଦିନ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଥିଲା।

ୟୁନିଭର୍ସିଟିରେ ଛାତ୍ରଛାତ୍ରୀମାନଙ୍କଦ୍ବାରା ପରିଚାଳିତ ସମ୍ବାଦପତ୍ର ‘ଦି ପର୍ଜୁ ଏକ୍‌ସ୍ପୋନେଣ୍ଟ୍‌’ ରିପୋର୍ଟ କରିଥିଲା ଯେ, ୟୁନିଭର୍ସିଟିର କମ୍ପ୍ୟୁଟର୍‌ ସାଇନ୍‌ସ୍‌ ବିଭାଗକୁ ସୋମବାର ଦିନ ପଠାଇଥିବା ଇ-ମେଲ୍‌ରେ କାମଚଳା ‘ସିଏସ୍‌’ ମୁଖ୍ୟ କ୍ରିସ୍‌ କ୍ଲିଫ୍‌ଟନ୍‌ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନୀଲ୍‌ ଆଚାର୍ଯ୍ୟଙ୍କ ମୃତ୍ୟୁ କଥା କହିଛନ୍ତି।

publive-image Image Courtesy of India Today

କ୍ଲିଫ୍‌ଟନ୍‌ଙ୍କ କଥା ଉଦ୍ଧୃତ କରି ‘ଦି ଏକ୍‌ସ୍ପୋନେଣ୍ଟ୍‌’ ଲେଖିଛି, ଆମର ଅନ୍ୟତମ ଛାତ୍ର ନୀଲ୍‌ ଆଚାର୍ଯ୍ୟ ମୃତ ବୋଲି ଅତି ଦୁଃଖରେ ଆପଣମାନଙ୍କୁ ସୂଚନା ଦେଉଛି। ତାଙ୍କ ସାଙ୍ଗସାଥୀ, ପରିବାର ଓ ତାଙ୍କ ମୃତ୍ୟୁ ଯୋଗୁଁ ମ୍ରିୟମାଣ ହୋଇ ପଡ଼ିଥିବା ସମସ୍ତଙ୍କ ପ୍ରତି ମୋର ସମବେଦନା।

ନୀଲ୍‌ ଆଚାର୍ଯ୍ୟଙ୍କର ମୃତ୍ୟୁ କଥା ଛାତ୍ରଛାତ୍ରୀଙ୍କ ଡିନ୍‌ ଅଫିସରୁ ପ୍ରାପ୍ତ ଇ-ମେଲ୍‌ରୁ ଜାଣି ସୁନିଶ୍ଚି ହୋଇଥିଲେ ବୋଲି ସେ ‘ଦି ଏକ୍‌ସ୍ପୋନେଣ୍ଟ୍‌’କୁ କହିଥିଲେ। ସେ କହିଥିଲେ, ନୀଲ୍‌ ଆଚାର୍ଯ୍ୟଙ୍କ ଚେହେରା ସହିତ ମେଳ ଖାଉଥିବା ଏବଂ ଆଇଡି କାର୍ଡ ଲାଗିଥିବା ଜଣେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବା ପରେ ଏ କଥା ଜଣାପଡ଼ିଥିଲା।

ଜାନୁଆରି ୨୮ ତାରିଖ ସ୍ଥାନୀୟ ସମୟ ରାତି ୧୨.୩୦ରୁ ନିଖୋଜ ହୋଇଯାଇଥିବା ତାଙ୍କ ପୁଅକୁ ଖୋଜି ଆଣିବା ଲାଗି ସୋମବାର ଦିନ ନୀଲ୍‌ଙ୍କ ମାଆ ଗୌରୀ ଆଚାର୍ଯ୍ୟ ‘ଏକ୍ସ୍‌’ ପୋଷ୍ଟ୍‌ରେ ଅନୁରୋଧ କରିଥିଲେ।