ମାଓବାଦୀଙ୍କ କବ୍‌ଜାରେ ନିଖୋଜ ଯବାନ : ଝିଅଙ୍କ ଆକୁଳ ନିବେଦନ ‘ମୋ ବାପାଙ୍କୁ ଛାଡ଼ିଦିଅ’

ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଫେରାଇଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପତ୍ନୀ

ନୂଆଦିଲ୍ଲୀ : ଛତିଶଗଡ଼ର ବିଜାପୁର ଏନ୍‌କାଉଣ୍ଟର୍‌ ମାମଲାରେ ୨୩ ଯବାନ ସହିଦ ହେବା ଘଟଣା ସାରାଦେଶକୁ ଦୋହଲାଇ ଦେଇଛି। ପ୍ରାୟ ୩୫ ଘଣ୍ଟା ପରେ ନିଖୋଜ ସିଆରପିଏଫ୍‌ ଯବାନ ରାକେଶ୍ବର ସିଂହ ମାନ୍‌ହସ ମାଓବାଦୀଙ୍କ କବ୍‌ଜାରେ ଥିବା ଜଣାପଡ଼ିଛି। ବାପା ମାଓବାଦୀଙ୍କ କବ୍‌ଜାରେ ଥିବା ଜା‌ଣିବାପରେ ରାକେଶ୍ବରଙ୍କ ଝିଅ ତାଙ୍କ ବାପାଙ୍କୁ ଛାଡ଼ି ଦେବାପାଇଁ ମାଓବାଦୀମାନଙ୍କୁ ଆକୁଳ ନିବେଦନ କରିଛନ୍ତି।

ରାକେଶ୍ବରଙ୍କୁ ଛାଡ଼ି ଦେବାପାଇଁ ତାଙ୍କ ଝିଅ ମାଓବାଦୀମାନଙ୍କୁ ଯେଉଁ ନିବେଦନ କରିଛନ୍ତି, ତା’ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି। ଭିଡିଓ ମାଧ୍ୟମରେ ରାକେଶ୍ବରଙ୍କ ଝିଅ କହିଛନ୍ତି, ‘ମୋ ବାପାଙ୍କୁ ଛାଡ଼ିଦିଅ’। ରାକେଶ୍ବର ମାଓବାଦୀଙ୍କ କବ୍‌ଜାରେ ଥିବାନେଇ ସ୍ଥାନୀୟ ସାମ୍ବାଦିକଙ୍କୁ ଖବର ମିଳିବାପରେ ସୋସିଆଲ ମିଡିଆରେ ପ୍ରଥମେ ଏହି ଖବର ପ୍ରଘଟ ହୋଇଥିଲା ଏବଂ ପ‌ରେ ତାଙ୍କ ଝିଅଙ୍କର ଭିଡିଓ ପ୍ରସାର ହୋଇଛି।

ଅନ୍ୟପକ୍ଷରେ, ସିଆରପିଏଫ୍‌ ପକ୍ଷରୁ ଏକ ଟିମ୍‌ ନିଖୋଜ ଯବାନଙ୍କ ଘରକୁ ପଠାଯାଇଛି। ରାକେଶ୍ବରଙ୍କ ପତ୍ନୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି।

ନିଖୋଜ ଯବାନଙ୍କ ଘର କଶ୍ମୀରରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର