ନୂଆଦିଲ୍ଲୀ: ରବିବାର ଦିନ ଆଟଲାଣ୍ଟିକ୍ ମହାସାଗରର ଗଭୀର ପାଣି ଭିତରକୁ ଅବତରଣ କରିଥିଲା ଟାଇଟନ୍ ବୁଡ଼ାଜାହାଜ। ହେଲେ ଏବେ ଏହି ବୁଡ଼ାଜାହାଜ ଏକ ଭୟଙ୍କର ବିସ୍ଫୋରଣର ଶିକାର ହୋଇଛି। ବିସ୍ଫୋରଣ ପରେ ଭିତରେ ଥିବା ସମସ୍ତ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଆମେରିକାର ତଟରକ୍ଷୀ ରିପୋର୍ଟ କରିଛି ଯେ ଟାଇଟାନିକର ଧ୍ୱଂସାବଶେଷଠାରୁ କିଛି ଦୂରରେ ବୁଡ଼ା ଜାହାଜର ଧ୍ୱଂସାବଶେଷ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ୧୧୧ ବର୍ଷ ପୂର୍ବେ ବୁଡ଼ି ଯାଇଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ବୁଡ଼ା ଜାହାଜରେ ବସି ୫ଜଣ ଯାତ୍ରୀ ମହାସାଗରର ବହୁତ ଗଭୀରକୁ ଯାଇଥିଲେ। ୫ଜଣଙ୍କ ମଧ୍ୟରେ ଥିଲେ ପାକିସ୍ତାନୀ ବଂଶୋଦ୍ଭବ କୋଟିପତି ବ୍ୟବସାୟୀ ଶେହଜାଦା ଦାଉଦ୍ ଏବଂ ତାଙ୍କ ପୁଅ ସୁଲେମାନ ଦାଉଦ । ଦୁର୍ଘଟଣାରେ ଶେହଜାଦା ଦାଉଦଙ୍କ ମୃତ୍ୟୁ ହେବା ପରେ ଏବେ ତାଙ୍କ ପତ୍ନୀଙ୍କ ଏକ ପୁରୁଣା ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରୁ ୨୦୧୯ରେ ଶେହଜାଦା ଏକ ବଡ଼ ବିମାନ ଦୁର୍ଘଟଣାରୁ ବର୍ତ୍ତିଥିଲେ ବୋଲି ଜଣାପଡ଼ିଛି। ୨୦୧୯ରେ ଶେହଜାଦା ଦାଉଦ୍ ଓ ତାଙ୍କ ପତ୍ନୀ କ୍ରିଷ୍ଟିନ ଦାଉଦ ବିମାନରେ ଯାତ୍ରା କରୁଥିବା ବେଳେ ଝଡ଼ ତୋଫାନ ପାଇଁ ବିମାନଟି ଅନେକ ଥର ତଳ ମୁହାଁ ହୋଇ ତଳକୁ ଖସିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ, ଭିତରେ ଥିବା ସମସ୍ତ ଯାତ୍ରୀ ଈଶ୍ବରଙ୍କୁ ଡାକିବା ଆରମ୍ଭ କରିଥିଲେ। ୫-୬ଥର ବିମାନ ତଳକୁ ଖସି ଆସିଥିଲେ ବି ଶେଷରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ହେଲେ ୨୦୧୯ରେ ଶେହଜାଦାଙ୍କ ଜୀବନ ବଞ୍ଚିଯାଇଥିଲେ ବି ଏବେ ତାଙ୍କର ମୃତ୍ୟୁ ହୋଇଛି।