ଚର୍ଚ୍ଚାରେ ମିସନ୍ କଶ୍ମୀର, କ’ଣ ‌ହୋଇପାରେ?

ଶେଷ ହୋଇପାରେ ସ୍ବତନ୍ତ୍ର ପାହ୍ୟା ମାନ୍ୟତା, ଜମ୍ମୁ-କଶ୍ମୀର ବିଭାଜନ ହୋଇପାରେ, ୧୫ ଅଗଷ୍ଟରେ କଶ୍ମୀରରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି ମୋଦୀ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଅତିରିକ୍ତ ୩୫ ହଜାର ଯବାନ ମୁତୟନକୁ ନେଇ ବିଭ୍ରାନ୍ତିକର ପରିସ୍ଥିତି ଲାଗି ରହିଥିବା ବେଳେ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ ରାଜ୍ୟ ଛାଡ଼ିବା ଲାଗି ସରକାରଙ୍କ ପରାମର୍ଶ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଅନ୍ୟପଟେ ବ୍ରିଟେନ ଏବଂ ଅନେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ‌କଶ୍ମୀର ନଯିବା ଲାଗି ସେମାନଙ୍କ ନାଗରିକଙ୍କୁୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। କଣ ହେବାକୁ ଯାଉଛି? କେହି କିଛି ଜାଣି ପାରୁ ନାହାନ୍ତି। ରାଜ୍ୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ପାକିସ୍ତାନୀ ସେନା ଯୋଜନା ଚଳାଇଛି ବୋଲି ପ୍ରଶାସନ କହୁଛି। କିନ୍ତୁ ଏହାର ମୁକାବିଲା ଲାଗି ଏଭଳି ପ୍ରସ୍ତୁତିକୁ ଲେ‌ାକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସରକାର ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେଉଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ନେଇ ରାଜନୈତିକ ଦଳମାନେ ମଧ୍ୟ ନାନା ଆଶଙ୍କା ଦେଇ ଗତି କରୁଛନ୍ତି। ମୁଖ୍ୟତଃ ୫ଟି କାରଣ ପାଇଁ ସରକାର ସୁରକ୍ଷା ବନ୍ଦୋବସ୍ତ ବଢ଼ାଯାଉଛି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି।

୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟ ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ୩୫-ଏକୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଘାଟିରେ ସୁରକ୍ଷା ସ୍ଥିତି ସୁଦୃଢ଼ କରାଯାଇଥିବା କୁହାଯାଉଛି। ତେବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ ଏଭଳି କୌଣସି ପରିବର୍ତ୍ତନ ନେଇ ସୂଚନା ନାହିଁ।

୨: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ଜଟିଳ ସ୍ଥିତିକୁ ଦେଖି ଏଥିରେ ବିଭାଜନ କରି ଜମ୍ମୁକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଇପାରନ୍ତି। ଏହା ସହିତ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରାଯିବାକୁ ମଧ୍ୟ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି।

ଏଭଳି ହେଲେ କଶ୍ମୀରରେ ଚାଲିଥିବା ବିଭାଜନକାରୀ ରାଜନୀତିର ପରିସମାପ୍ତି ଘଟିବ।

୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ୧୫ ଅଗଷ୍ଟରେ କଶ୍ମୀରରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବରୁ ମଧ୍ୟ ମୋଦୀ ଅନେକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିବାରୁ ଏଥର ମଧ୍ୟ ସେଭଳି କିଛି ଘଟିପାରେ ବୋଲି କୁହାଯାଉଛି। ଏଭଳି ହେଲେ ସମଗ୍ର ଦେଶରେ ରାଷ୍ଟ୍ରବାଦର ଏକ ଭିନ୍ନ ଲହର ସୃଷ୍ଟି ହେବ ଏବଂ ଏହା ଏକ ବଡ଼ ଉପଲବ୍ଧି ହେବ ବୋଲି କୁହାଯାଉଛି ।

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ସୁରକ୍ଷା ସ୍ଥିତି ଭୋଟ୍‌ ପାଇଁ ଅନୁକୂଳ କରିବା ନିମନ୍ତେ ମଧ୍ୟ ବଡ଼ ଧରଣର ସେନା ମୁତୟନ କରାଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆତଙ୍କବାଦୀଙ୍କୁ ମୂଳପୋଛ ଯୋଜନା: କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସରକାର କେତେକ ବିଶେଷ ଯୋଜନା ହାତକୁ ନେଇଛନ୍ତି ଏବଂ ସେନାକୁ ଅଧିକ କ୍ଷମତା ଦେଇ କଶ୍ମୀରରେ ଶାନ୍ତି ଫେରାଇ ଆଣିବାକୁ ଯୋଜନା ହୋଇଛି ବୋଲି ମଧ୍ୟ ଅନୁମାନ କରାଯାଉଛି । ପାକ୍‌ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଘାଟିରେ ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବାରୁ ଏହାର ମୁକାବିଲା ପାଇଁ ସେନା ମୁତୟନ ବଢ଼ାଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର