ଶ୍ରୀନଗର: ଦେଶର ବିଭିନ୍ନ ଅଞ୍ଚଳରେ ବେଣୀ କଟା ରହସ୍ୟ ଉନ୍ମୋଚିତ ହୋଇ ପାରି ନ ଥିଲେ ମଧ୍ୟ ସେପରି ଘଟଣା ଆଉ ଘଟୁଥିବାର ଖବର ମିଳୁ ନ ଥିବାବେଳେ ଦକ୍ଷିଣ କଶ୍ମୀରର ଅନନ୍ତନାଗଠାରେ ଦଳେ ବାତୁଳପ୍ରାୟ ଜନତା ଗୁରୁବାର ରାତିରେ ବେଣୀ କଟାଳି ଭ୍ରମରେ ଜଣେ ୭୦ ବର୍ଷିୟ ବୃଦ୍ଧଙ୍କୁ ପିଟି ପିଟି ମାରି ପକାଇଛନ୍ତି।

Advertisment

ଗତ ଏକ ମାସ ହେବ ସମଗ୍ର ଉପତ୍ୟକାରେ ମହିଳାମାନଙ୍କ ବେଣୀ କଟାଯାଇଥିବା ସମ୍ବନ୍ଧୀୟ ପ୍ରାୟ ୮୦ ସରିକି ଅଭିଯୋଗ ଆସିଥିଲା। ବଢ଼ି ଚାଲିଥିବା ବେଣୀକଟା ସଂଖ୍ୟା, ଏମିତିକି ପୁରୁଷମାନଙ୍କର ଦାଢ଼ିକଟା ମାମଲା ବିଶେଷକରି ମହିଳାମାନଙ୍କୁ ଛାନିଆ କରି ପକାଇଥିଲା। ଏଥିଯୋଗୁଁ ଶୁକ୍ରବାର ଦିନ କଶ୍ମୀରର କେତେକ ଅଞ୍ଚଳରେ ରାସ୍ତାଘାଟରେ ହିଂସାକାଣ୍ଡ ଉପୁଜି ଥିଲା।

ଦେଖଣାହାରିମାନେ କହନ୍ତି, ଦକ୍ଷିଣ କଶ୍ମୀରର କୁଲଗାମ୍‌ଠାରୁ ଆରମ୍ଭ ହୋଇଥିବା ବେଣୀ କଟା ଗୁଜବ ଏବେ ଅସାମାଜିକ ତତ୍ତ୍ୱମାନଙ୍କୁ ଏକ ରାଜନୈତିକ ରୂପ ଦେବା ନିମନ୍ତେ ସୁଯୋଗ ଦେଇ ପାରେ।

ପ୍ରତିବାଦ ବୃଦ୍ଧିକୁ ଦମନ କରିବା ନିମନ୍ତେ କର୍ତ୍ତୃପକ୍ଷମାନେ ମୋବାଇଲ୍‌ ଫୋନ୍‌ରୁ ଇଣ୍ଟର୍‌ନେଟ୍‌ ସୁବିଧା ଛିନ୍ନ କରିବା ସହ ଶ୍ରୀନଗର ଉପକଣ୍ଠ ଅଞ୍ଚଳର ପାଞ୍ଚଟି ଥାନାରେ କର୍ଫ୍ୟୁ ଜାରି କରିଛନ୍ତି।

ପୁଲିସ କହେ, ଅନନ୍ତନାଗର ଦାନ୍ତେର୍‌ ଗାଁ’ରେ ଲୋକେ ଓ୍ଵାନିଙ୍କୁ ଭ୍ରମବଶତଃ, ବେଣୀକଟାଳି ବିଚାରି ତାଙ୍କ ଉପରକୁ ଢେଲା ପକାଇଥିଲେ। ଶୁକ୍ରବାର ରାତିରେ ଅବ୍‌ଦୁଲ୍‌ ସଲାମ୍‌ ଓ୍ଵାନି ସୌଚ ହେବାକୁ ପଦାକୁ ଆସିଥିବାବେଳେ ଲୋକେ ତାଙ୍କୁ ବେଣୀକଟାଳି ବୋଲି ଭାବିଥିଲେ। ପରେ ଗତ ବିଳମ୍ବିତ ରାତ୍ରୀରେ ତାଙ୍କୁ ଅନନ୍ତନାଗସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟମୟ ଥିବାରୁ ସେଠାରେ ତାଙ୍କୁ ଶ୍ରୀନରସ୍ଥିତ ଶେର୍‌-ଏ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌କୁ ରେଫର୍‌ କରାଯାଇଥିଲା। କିନ୍ତୁ, ତାଙ୍କର ଜୀବନ ଛାଡ଼ିଗଲା।

କଶ୍ମୀର ରେଞ୍ଜ୍‌ର ଆଇଜି ମୁନିର ଖାଁ କହନ୍ତି: ଦେଖଣାହାରିମାନେ ସହଯୋଗ କରିବାକୁ ମନା କରି ଦେଉଥିବାରୁ ଅପରାଧୀମାନଙ୍କୁ ଠାବ କରିବାରେ ପୁଲିସ ଅସମର୍ଥ ହେଉଛି।

ଏ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଜନତା ବେଣୀକଟାଳି ଭ୍ରମରେ କେବଳ ନିରୀହ ଜନତାଙ୍କୁ ମାରଧର କରୁଛନ୍ତି ବୋଲି ପୁଲିସ କହିଛି।

ତଦନ୍ତ ତ୍ୱରାନ୍ଵିତ କରିବାକୁ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଉଦ୍‌ବେଗ ପ୍ରକାଶପୂର୍ବକ ଜମ୍ମୁ ଏବଂ କଶ୍ମୀର ପୁଲିସ ମୁଖ୍ୟ ଏସ୍‌ ପି ବୈଦଙ୍କୁ କହିଛନ୍ତି। ବେଣୀକଟା ମାମଲା ପାଇଁ ବିଚ୍ଛିନ୍ନତାବାଦୀମାନେ ଭାରତୀୟ ଗୁଇନ୍ଦା ଏଜେନ୍‌ସି ଏବଂ ନିରାପତ୍ତା ବଳଙ୍କୁ ଦାୟୀ କରିଛନ୍ତି।

ହୁରିୟାତ୍‌ର ସୟେଦ୍‌ ଅଲି ଶାହା ଗୀଲାନି ଏବଂ ମିର୍‌େଓ୍ଵଜ୍‌ ଉମର ଫାରୁକ୍‌ ଏବଂ ଜେକେଏଲ୍‌ଏଫ୍‌ର ୟାସିନ୍‌ ମାଲିକ୍‌ ଶୁକ୍ରବାର ନମାଜ ପରେ ଏକ ପ୍ରତିବାଦ ଡକାଇଥିଲେ ବୋଲି ପୁଲିସ କହିଛି।

ସାମାନ୍ୟ ବେଣୀକଟା ଗୁଜବ ଯୋଗୁଁ ବାତୁଳପ୍ରାୟ ଉତ୍ତ୍ୟକ୍ତ ଜନତା ଭଗତଠାରେ ନିରାପତ୍ତା ବଳଙ୍କ ଉପରକୁ ଢେଲା ପଥର ପକାଇଥିଲାବେଳେ ଦୁର୍ବୃତ୍ତମାନେ ସେହି ଏକା କଥା ଯୋଗୁଁ ଶୁକ୍ରବାର ଦିନ ନିରାପତ୍ତା ବଳଙ୍କ ଉପରକୁ ପୁଣି ପଥର ଫିଙ୍ଗି ଥିଲେ।

ସେ ଯାହାହେଉ, ସରକାର ଚନ୍ନାପୋରାର ନତିପୋରାରେ କର୍ଫ୍ୟୁ ଜାରି କରିଛନ୍ତି। କଟକଣା ସତ୍ତ୍ୱେ ଦୁର୍ବୃତ୍ତମାନେ ନତିପୋରା, ଚନ୍ନାପୋରା, ବାଗ୍‌-ଏ-ମହତାବଠାରେ ନିରାପତ୍ତା ବଳଙ୍କ ଉପରକୁ ଢେଲା ପକାଇ ଥିଲେ।