ଉରି ଆକ୍ରମଣ: ଧରାପଡ଼ିଲା ସୁରକ୍ଷା ତ୍ରୁଟି

ସେନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଉରି, ସୁଂଜୁୱାନ୍‌ ଏବଂ ନାଗ୍‌ରୋଟା ସେନା ଶିବିର ଉପରେ ୨୦୧୬ ଏବଂ ୨୦୧୮ରେ ପାକ୍‌ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଥିଲେ ଏବଂ ଏଥିରେ ୩୬ ଯଣ ଯବାନ ସହିଦ ହୋଇଥିଲେ। ତେବେ ନିରାପତ୍ତା ତ୍ରୁଟି ଯୋଗୁଁ ଆତଙ୍କବାଦୀମାନେ ଏତେ ବଡ଼ ଆକ୍ରମଣ ଘଟାଇବାରେ ସଫଳ ହୋଇଛନ୍ତି ‌ବୋଲି ତଦନ୍ତ ପ୍ରକ୍ରିୟାରୁ ଜଣାପଡ଼ିଛି। ଏଥି‌ପାଇଁ ଏହି ଶିବିରଗୁଡ଼ିକର ଦାୟିତ୍ବରେ ଥିବା ସେନା କମାଣ୍ଡରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସଂପୃକ୍ତ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସରକାର ଯୋଜନା କରିଛନ୍ତି ଏବଂ ଭାରତୀୟ ସେନାକୁ ଏହି ନିଷ୍ପତ୍ତି ସଂପର୍କରେ ଜଣାଇ ଦିଆଯାଇଛି। ତେବେ ଅଫିସରମାନେ ଅବସର ପରେ ସ୍ବାଭାବିକ ଭାବେ ଯେଉଁ ସୁବିଧା ଉପଲବ୍ଧ କରିଥାନ୍ତେ, ସେଥିରୁ ସେମାନଙ୍କୁ ବଞ୍ଚିତ କରାଯିବ ନାହିଁ। ଜଣେ ବରିଷ୍ଠ ସେନା ଅଧିକାରୀ ନିଜ ପରିଚୟ ପ୍ରକାଶ ନକରି ଗଣମାଧ୍ୟମରେ ଏହା ପ୍ରକାଶ କରିଛନ୍ତି।

୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୧୯ ଯବାନ ଏବଂ ନଭେମ୍ବର ୨୯ରେ ନାଗ୍‌‌ରୋଟା ‌ସେନା ଶିବିର ଉପରେ ଆକ୍ରମଣ ଯୋଗୁଁ ୭ ଯବାନ ସହିଦ ହୋଇଥିଲେ। ଅନ୍ୟପକ୍ଷେ ୨୦୧୮ ଫେବ୍ରୁଆରି ୧୦ ତାରିଖରେ ସୁଂଜୁୱାନା ‌ସେନା ଶିବିର ଉପରେ ଆକ୍ରମଣ ଯୋଗୁଁ ୧୧ ଯବାନ ସହିଦ ହୋଇ ଯାଇଥିଲେ। ଭାରତୀୟ ସେନା ଦ୍ବାରା ଆକ୍ରମଣ ପରେ ହୋଇଥିବା ପୁଙ୍ଖାନୁପୁଙ୍ଖ ତଦନ୍ତରୁ ଜଣାପଡ଼ିଛି ଯେ ଯବାନଙ୍କ ସୁରକ୍ଷା କ୍ଷେତ୍ରରେ କେତେକ ତ୍ରୁଟି ରହିଯାଇଥିଲା। ଆତଙ୍କବାଦୀମାନେ ଏହି କ୍ୟାମ୍ପ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବା ସୂଚନା ଥାଇ ସୁଦ୍ଧା କମାଣ୍ଡର୍‌ମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ଅନ୍ୟପକ୍ଷେ ନାଗ୍‌ରୋଟା ସେନା ଶିବିର ଆକ୍ରମଣ ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ ବଡ଼ ଧରଣର ସୁରକ୍ଷା ତ୍ରୁଟି ଯୋଗୁଁ ଆତଙ୍କବାଦୀମାନେ ଆକ୍ରମଣ ଘଟାଇବାରେ ସଫଳ ହୋଇଛନ୍ତି। ନାଗ୍‌ରୋଟାରେ କଡ଼ା ସୁରକ୍ଷା ବଳୟ ସତ୍ତ୍ବେ ଆତଙ୍କବାଦୀ ଶିବିର ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ତେବେ କମାଣ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକ ନୂଆ ପ୍ରସ୍ତାବ ନୁହେଁ। ଏନ୍‌ଡିଏର ପୂର୍ବ ସରକାରରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଆଣିଥିଲେ। କିନ୍ତୁ ସେନା ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଗୋଟିଏ ପଟେ ଭାରତୀୟ ସେନା କେତେକ ପରିଚାଳନାଗତ ତ୍ରୁଟି ପାଇଁ କମାଣ୍ଡରମାନଙ୍କୁ ଅବସର ଦେବାକୁ ଇଚ୍ଛୁକ ନଥିବା ବେଳେ ସରକାରଙ୍କ ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ କରା‌ଯିବ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର