ନୂଆଦିଲ୍ଲୀ: ମଣିପୁରରେ ୩୩୨ କୋଟି ଟଙ୍କାର ସରକାରୀ ପାଣ୍ଠିର ଦୁରୁପଯୋଗ ଅଭିଯୋଗରେ ସିବିଆଇ ଆଜି ୩ ରାଜ୍ୟର ୯ ସ୍ଥାନରେ ଚଢ଼ଉ କରିଛି। ଆଇଜଲ (ମିଜୋରାମ୍‌), ଇମ୍ଫାଲ୍‌ (ମଣିପୁର) ଏବଂ ଗୁରୁଗ୍ରାମ୍‌ (ହରିୟାଣା)ର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ନିକଟରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଓକ୍ରାମ୍‌ ଇବୋବି ସିଂହ, ଏମ୍‌ଡିଏସ୍‌ (ମଣିପୁର ଡେଭେଲପମେଣ୍ଟ୍‌ ସୋସାଇଟି)ର ତତ୍କା‌ଳୀନ ଅଧ୍ୟକ୍ଷ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ଅଭିଯୋଗ ହୋଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଏମ୍‌ଡିଏସ୍‌ ଅଧ୍ୟକ୍ଷ ଏବଂ ଅନ୍ୟ ଅଭିଯୁକ୍ତମାନେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ପାଇଁ ଆସିଥିବା ୫୧୮ କୋଟି ଟଙ୍କା ସରକାରୀ ପାଣ୍ଠିରୁ ୩୩୨ କୋଟି ଟଙ୍କାର ଦୁରୁପଯୋଗ କରିଥିଲେ। ୨୦୦୯ ଜୁନ୍‌ରୁ ୨୦୧୭ ମଧ୍ୟରେ ଏହି ସରକାରୀ ପାଣ୍ଠିର ଦୁରୁପଯୋଗ ହୋଇଥିଲା। ତେବେ ଇବୋବି ସିଂହଙ୍କ ବାସଭବନରେ ଚଢ଼ଉ ସମୟରେ ସିବିଆଇ ଆଜି ୨୬.୪୯ ଲକ୍ଷ ଟଙ୍କାର ଅଚଳ ନୋଟ୍‌ ଜବତ କରିଛି। ଇବୋବିଙ୍କ ସହ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ବାସଭବନରେ ମଧ୍ୟ ଆଜି ସିବିଆଇ ଚଢ଼ଉ କରିଥିଲା। ସିଂହଙ୍କ ବାସଭବନରେ ଚଢ଼ଉ ସମୟରେ ସିବିଆଇକୁ ୬ଟି ଦାମୀ ଓ ବିଳାସପୂର୍ଣ୍ଣ କାର୍‌ ମିଳିଛି।

Advertisment