ବଳାତ୍କାର ଆଇନର ଅପବ୍ୟବହାର ‘ଆଇନ ପରିବର୍ତ୍ତନର ସମୟ ଆସିଯାଇଛି’

ମୁମ୍ବାଇ: ବଳାତ୍କାର ନିୟମର ଅପବ୍ୟବହାର ବିରୋଧରେ ବାହାରିଛନ୍ତି ମୁମ୍ବାଇ ହାଇ କୋର୍ଟର ପୂର୍ବତନ ବିଚାରପତି ଭି.ଏମ୍‌ କନଡେ। କିଛି ନିର୍ଦିଷ୍ଟ ବଳାତ୍କାର ମାମଲାରେ ଅପରାଧିକ ଆଇନର ସୁଧାର ଆଣିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କନଡେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳାଙ୍କ ଅଧିକାର ସପକ୍ଷରେ ବହୁ ରାୟ ଦେଇଥିବାରୁ ତାଙ୍କ ମତାମତ ଗୁରୁତ୍ୱ ବହନ କରୁଛି।

ଏକ ସାକ୍ଷାତକାରରେ ଅବସରପ୍ରାପ୍ତ ବିଚାରପତି କନଡେ କହିଛନ୍ତି, ଆଇନର ପରିବର୍ତ୍ତନ ପାଇଁ ସମୟ ଆସିଯାଇଛି। ଅଥବା ବଳାତ୍କାର ଆଇନ ଦ୍ୱାରା ନିଆଯାଉଥିବା କାର୍ଯ୍ୟନୁଷ୍ଠାନ ପ୍ରକ୍ରିୟା ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। ନିର୍ଦିଷ୍ଟ ଭାବେ ସେହି ମାମଲା ଗୁଡିକରେ ଯେଉଁଥିରେ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଅଭିଯୋଗକାରୀ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିବ ଏବଂ ଯେଉଁଠି ମହିଳାଙ୍କ ଅନୁମତି ପରେ ଯୌନ ସମ୍ପର୍କ ରହିଥିବ। ସମ୍ପର୍କ ତୁଟିବା ପରେ, ବା ବିଳମ୍ବରେ ମାମଲା ରୁଜୁ ହେବା ସ୍ଥଳେ ଉକ୍ତ ଆଇନର ପରିବର୍ତ୍ତନ ଆବଶ୍ୟକ ବୋଲି କନଡେ ସ୍ପଷ୍ଟ କରିଛନ୍ତି। ତାଙ୍କର ମତାମତ ସପକ୍ଷରେ ସେ ଲଳିତା କୁମାରୀଙ୍କ ମାମଲାରେ ସୁପ୍ରିମ କୋର୍ଟର ରାୟକୁ ଉଦ୍ଧାର କରି କନଡେ କହିଛନ୍ତି, ମହିଳାଙ୍କ ଦ୍ୱାରା ଅପରାଧର ଅଭିଯୋଗ ଆସିଲା ପରେ ପୁଲିସ ମାମଲା ରୁଜୁ କରିବାକୁ ବାଧ୍ୟ। କିନ୍ତୁ କିଛି ନିର୍ଦିଷ୍ଟ ମାମଲାରେ ଯେଉଁଠି ବହୁ ବିଳମ୍ବରେ ବା ସମ୍ପର୍କ ଛିନ୍ନ ହେବା ପରେ ଅଭିଯୋଗ ଆସିଥାଏ ସେଥିରେ ପୁଲିସ ପ୍ରାଥମିକ ତଦନ୍ତ କରିବା ଉଚିତ। ଏହା ଭାରତୀୟ ପିଙ୍ଗଳ ଧାରା (ଆଇପିସି) ୪୯୮ (କ)ର ଆଧାରରେ ପୁଲିସ ପ୍ରଥମେ ଯାଞ୍ଚ କରିବା ଆବଶ୍ୟକ। ପୁଲିସ ତରବରିଆ ଭାବେ ଅଭିଯୁକ୍ତକୁ ଗିରଫ କରିବା ଉଚିତ ନୁହଁ। ଅଭିଯୁକ୍ତଙ୍କ ନାମକୁ ଗୋପନ ରଖାଯିବା ସପକ୍ଷରେ ମତ ଦେଇ କନଡେ କହିଛନ୍ତି ପ୍ରତି ମାମଲାରେ ଆଇପିସିର ଧାରା ୪୧କୁ ବ୍ୟବହାର କରି ଗିରଫ କରିବା ବାଧ୍ୟତାମୂଳକ ନୁ‌େହଁ। ଗିରଫ କରିବା ପୂର୍ବରୁ ପୁଲିସ ସବିଶେଷ ତଦନ୍ତ କରିବା ଜରୁରି। ଏଭଳି କିଛି ନିର୍ଦିଷ୍ଟ ମାମଲାରେ ଧାରା ୩୭୫ ଏବଂ ଧାରା ୩୭୬ର ପରିବର୍ତ୍ତନ ଆବଶ୍ୟକ ବୋଲି କନଡେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କନଡେ ବିଚାରପତି ଥିବା ବେଳେ ମୁମ୍ବାଇ ମହିଳାଙ୍କ ସୁରକ୍ଷା, ପୁନେ ବଳତ୍କାର ଓ ହତ୍ୟା ମାମଲା ଏବଂ ହାଜି ଅଲି ଦର୍ଘାକୁ ମହିଳାଙ୍କ ପ୍ରବେଶ ମାମଲାରେ ମହିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର