ନୂଆଦିଲ୍ଲୀ: ଏସ୍/ଏସ୍ଟି ସଂରକ୍ଷଣ ବ୍ୟବସ୍ଥାରେ ସ୍ବଚ୍ଛଳ ବର୍ଗଙ୍କୁ ଅଲଗା କରିବା ପାଇଁ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ‘ସଂରକ୍ଷଣ ବଚାଓ ସଂଘର୍ଷ ସମିତି’ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ପାଳନ ହୋଇଛି। ଏହି ବନ୍ଦ ପାଳନରେ ୨୧ଟି ସଂଗଠନ ସାମିଲ ହୋଇଥିବା ବେଳେ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ଅନେକ ରାଜ୍ୟରେ ବନ୍ଦର ଆଦୌ ପ୍ରଭାବ ନଥିଲା। ବନ୍ଦ ପାଳନ ସମୟରେ ଆଜି ବିହାରରେ ହିଂସା ଉପୁଜିଛି। ଭାରତ ବନ୍ଦ ସମର୍ଥନରେ ଆଜି ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତା ଏବଂ ରେଳ ରୋକ କରିଥିବା ବେଳେ ପୁଲିସ ସେମାନଙ୍କୁ ଘଉଡ଼ାଇବାପାଇଁ ଲାଠିମାଡ଼ କରିଛି ଏବଂ ଜଳ ତୋପ ପ୍ରୟୋଗ କରିଛି। ଦରଭଙ୍ଗା ଏବଂ ବକ୍ସାର ରେଳ ଷ୍ଟେସନ୍ରେ ଆନ୍ଦୋଳନକାରୀମାନେ ଟ୍ରେନ୍ ସେବାରେ ବାଧା ସୃଷ୍ଟି କରିଛନ୍ତି। ପାଟନା, ହାଜିପୁର, ଦରଭଙ୍ଗା, ଜେହାନାବାଦ ଏବଂ ବେଗୁସରାଇ ଜିଲ୍ଲାରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରି ଜଟିଳ ସ୍ଥିତି ସୃଷ୍ଟି କରିଥିଲେ। ଫଳରେ ପୁଲିସ ସେମାନଙ୍କୁ ଘଉଡ଼ାଇବାପାଇଁ ଲାଠିମାଡ଼ କରିଛି। ପାଟନାରେ ଡାକ ବଙ୍ଗଳା ଛକ ନିକଟରେ କିଛି ଆନ୍ଦୋଳନକାରୀ ପୁଲିସ ବ୍ୟାରିକେଡ୍ ଭାଙ୍ଗିବାରୁ ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବାବେଳେ ଲାଠିମାଡ଼ କରିଥିଲା। ଜେହନାବାଦ ଜିଲ୍ଲାରେ ଜାତୀୟ ରାଜପଥ-୮୩ରେ ଆଜି ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ।
ରାଜସ୍ଥାନରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଏଥିରେ ଜନଜୀବନ ବିଶେଷ ପ୍ରଭାବିତ ହୋଇନାହିଁ। କୌଣସି ଅତ୍ୟାବଶ୍ୟକ ସେବା ବନ୍ଦ ହୋଇନଥିବା ବେଳେ ସମସ୍ତ ସରକାରୀ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ଯଥାରୀତି ଚାଲିଥିଲା। କିଛି ଜିଲ୍ଲାରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଭରତପୁର, କରୌଲି, ସୱାଇ ମାଧୋପୁର ସମେତ ୪ଟି ଜିଲ୍ଲାରେ ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସ୍ସି/ଏସ୍ଟି ସଂଯୁକ୍ତ ସଂଘର୍ଷ ସମିତି ପକ୍ଷରୁ ଆଜି ଜୟପୁରର ରାଲି କରାଯାଇଛି। ଜୟପୁରରେ ଆଜି ଦୋକାନ ବଜାର ବନ୍ଦ ପାଇଁ ଆନ୍ଦୋଳନକାରୀମାନେ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ଏହା ବିଶେଷ ସଫଳ ହୋଇନଥିଲା। ଆସାମରେ ଭାରତ ବନ୍ଦର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ। ସ୍କୁଲ୍, ଅଫିସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସ୍ବାଭାବିକ ଭାବେ କାମ କରୁଥିବା ବେଳେ ପରିବହନ ମଧ୍ୟ ପ୍ରଭାବିତ ହୋଇନାହିଁ। ରେଳବାଇ ସେବା ମଧ୍ୟ ସ୍ବାଭାବିକ ରହିଥିଲା । ମଧ୍ୟପ୍ରଦେଶରେ ମଧ୍ୟ ବନ୍ଦର ପ୍ରଭାବ ଅତ୍ୟନ୍ତ ସୀମିତ ରହିଥିଲା। ଅନ୍ୟପକ୍ଷରେ ପଂଜାବ ଓ ହରିୟାଣାରେ ବନ୍ଦ ପ୍ରଭାବଶୂନ୍ୟ ରହିଥିଲା। ଆଜି ଭାରତ ବନ୍ଦକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଆର୍ଜେଡି, ବିଏସ୍ପି, ଜେଏମ୍ଏମ୍ ଏବଂ ବାମଦଳମାନେ ସମର୍ଥନ କରିଥିଲେ।
ପଞ୍ଜାବ, ହରିୟାଣା, ଆସାମରେ ବନ୍ଦ ପ୍ରଭାବଶୂନ୍ୟ, ପାଟନାରେ ଏସ୍ଡିଏମ୍ଙ୍କୁ ପୁଲିସର ଲାଠିମାଡ଼
ପାଟନା: ବିହାର ରାଜଧାନୀ ପାଟନାରେ ଆଜି ‘ଭାରତ ବନ୍ଦ’ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କଲାବେଳେ କାହାକୁ ଛାଡ଼ିନଥିଲା। ଉପଜିଲ୍ଲାପାଳ (ଏସ୍ଡିଏମ୍) ବି ପୁଲିସ ପ୍ରହାରରୁ ବର୍ତ୍ତିନାହାନ୍ତି। ଆନ୍ଦୋଳନକାରୀଙ୍କ ସହ ମୁହାଁମୁହିଁ ବେଳେ ଆଜି ପୁଲିସ ଏସ୍ଡିଏମ୍ଙ୍କ ଉପରେ ଲାଠିମାଡ଼ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ପାଟନା ଡାକ ବଙ୍ଗଳା ଛକ ନିକଟରେ ଏହି ଘଟଣା ଘଟିଛି। ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ ଯାଇଥିବା ଏସ୍ଡିଏମ୍ ପୁଲିସ ପାହାର ଖାଇ ରାଗି ଯାଇଥିଲେ। ତେବେ ଉପସ୍ଥିତ ଅଧିକାରୀମାନେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ।