ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ଏହି ୩୬ ବର୍ଷ ଭିତରେ ରାଜ୍ୟ ରାଜନୀତିରେ ରହିଥିଲା କଂଗ୍ରେସ ଏବଂ ଏମ୍‌ଏନ୍‌ଏଫ୍‌ର ଦବଦବ‌ା। କେବେ କଂଗ୍ରେସ ସରକାର ଗଢ଼ୁଥିଲା, ତ କେବେ ଏମ୍‌ଏନ୍ଏଫ୍। ତୃତୀୟ ବିକଳ୍ପ ହିଁ ନଥିଲା। କିନ୍ତୁ ଏଥର ସେହି ଧାରାକୁ ଭାଙ୍ଗି ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ ଆଞ୍ଚଳିକ ଦଳ ସଫଳ ହୋଇଛି। ଏହାର ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୮ ନିର୍ବ‌ାଚନ ବେଳେ ଜେଡ୍‌ପିଏମ୍‌ ଗଠିତ ହୋଇଥିଲେ ମଧ୍ୟ ଏହାକୁ ନିର୍ବ‌ାଚନ କମିସନ ସ୍ବୀକୃତି ଦେଇନଥିଲେ। ଫଳରେ ଏହାର ପ୍ରାର୍ଥୀ ସ୍ବାଧୀନ ଭାବେ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ନିର୍ବ‌ାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଦଳକୁ ସ୍ବୀକୃତି ମିଳିଥିଲା। ସ୍ବୀକୃତି ପାଇବା ପରେ ପ୍ରଥମ ଥର ଲାଗି ଏହା ନିର୍ବାଚନକୁ ଓହ୍ଲାଇଥିଲା। ପ୍ରଥମ ପଦାର୍ପଣରେ ଏହାକୁ ମିଳିଛି ୨୭ଟି ଆସନ।

Advertisment

କ୍ଷମତାସୀନ ଏମ୍‌ଏନ୍‌ଏଫ୍ ମାଟି କାମୁଡ଼ିଛି। ଏହାର ବିଧାୟକ ସଂଖ୍ୟା ୨୬ରୁ ୧୦କୁ ଖସି ଆସିଛି। କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ ଆସନ। ୪୦ ଆସନ ବିଶିଷ୍ଟ ବିଧାନସଭାରେ ବିରୋଧୀ ଜେଡ୍‌ପିଏମ୍‌ (ଜୋରାମ୍‌ ପିପୁଲ୍‌ସ ମୁଭମେଣ୍ଟ) ୨୭ଟି ଆସନ ହାସଲ କରିଥିବା ବେଳେ ଏମ୍‌ଏନ୍‌ଏଫ୍‌ ୧୦ଟି, ବିଜେପି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଆଇଜଲ ଇଷ୍ଟ୍‌-୧ ଆସନରୁ ହାରିଯାଇଛନ୍ତି। ସେହିଭଳି ଉପମୁଖ୍ୟମନ୍ତ୍ରୀ ତନଲୁଇଆ ମଧ୍ୟ ତୁଲଚାଙ୍ଗ ଆସନରେ ପରାଜିତ ହୋଇଛନ୍ତି। ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋମବାର ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ ହରି ବାବୁ କମ୍ଭମପତିଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରୀ ବିରୋଧୀ ହାୱା ଯୋଗୁ ତାଙ୍କ ଦଳ ପରାଜିତ ହୋଇଛି। ଲୋକମାନେ ତାଙ୍କ ସରକାରଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ଲୋକଙ୍କ ଜନାଦେଶକୁ ମୁଁ ଗ୍ରହଣ କରୁଛି।

ମିଜୋରାମରେ ଏମ୍‌ଏନ୍‌ଏଫ୍‌, ଜେଡ୍‌ପିଏମ୍‌ ଓ କଂଗ୍ରେସ ସମସ୍ତ ୪୦ଟି ଆସନରେ ପ୍ରାର୍ଥୀ ଛିଡ଼ା କରିଥିଲେ। ବିଜେପି ଏଠାରେ ୧୩ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଇ ୪ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଠିଆ କରାଇଥିଲା। ୧୭ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ୁଥିଲେ। ବୁଥବାହୁଡ଼ା ମତ ସର୍ଭେରେ କିଛି ସଂସ୍ଥା ଜେଡପିଏମ୍‌ ଶାସନ ଗାଦିରେ ବସିବ ବୋଲି ଆକଳନ କରିଥିଲେ। କିନ୍ତୁ ଅଧିକାଂଶ ସର୍ଭେରେ ଝୁଲା ବିଧାନସଭା ନେଇ ଆକଳନ କରାଯାଇଥିଲା। କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି କୁହାଯାଇଥିଲା।
୨୦୧୮ ନିର୍ବାଚନରେ ଏମଏନଏଫ ୨୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ଜେଡ୍‌ପିଏମ୍‌ ୮ଟି ଆସନରେ ଜିତିଥିଲା। କଂଗ୍ରେସ ୫ଟି ଆସନରେ ଜିତି ତୃତୀୟ ସ୍ଥାନରେ ଥିବାବେଳେ ବିଜେପି ଗୋଟିଏ ଆସନରେ ଜିତିଥିଲା। ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଜେଡ୍‌ପିଏମ୍‌ ନେତା ଲାଲଦୁହୋମା ରାଜଧାନୀ ଆଇଜଲକୁ ଫେରି ନବନିର୍ବାଚିତ ବିଧାୟକମାନଙ୍କୁ ଭେଟିଛନ୍ତି। ନବ ନିର୍ବାଚିତ ବିଧାୟକ ଏବଂ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା (ଭଲ୍‌ ଉପା କାଉନସିଲ)ର ବୈଠକ ମଙ୍ଗଳବାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାପରେ ଦଳ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବ ବୋଲି ଜେଡପିଏମର କାର୍ଯ୍ୟକାରୀ ସଭାପତି କେ ସପଦଙ୍ଗା କହିଛନ୍ତି।