ଏକ୍‌ଜିଟ୍‌ ପୋଲ : ମିଜୋରାମରେ କ୍ଷମତା ଦଖଲ ପାଇଁ ଆଞ୍ଚଳିକ ଦଳ ଜେଡ୍‌ପିଏମ୍‌ ଓ ଏମ୍‌ଏନ୍‌ଏଫ୍‌ ମଧ୍ୟରେ ଜୋରଦାର ଲଢ଼େଇ

ନୂଆଦିଲ୍ଲୀ: ୪୦ ଆସନ ବିଶିଷ୍ଟ ମିଜୋରାମରେ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍‌ଜିଟ୍‌ ପୋଲ ଫଳାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଆଜି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ମାର୍କେଟ୍‌ ରିସର୍ଚ୍ଚ ଏଜେନ୍‌ସି ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। ଏଥିସହ ମିଜୋରାମ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ସମ୍ଭାବ୍ୟ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି। ଫଳାଫଳରୁ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ନେତୃତ୍ୱାଧୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) କ୍ଷମତାକୁ ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ୬ ଦଳୀୟ ମେଣ୍ଟ ଜୋରାମ ପିପୁଲ୍‌ସ ମୁଭମେଣ୍ଟ (ଜେଡପିଏମ୍‌) ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଜାଣିବାକୁ ମିଳିଛି। ଆସନ୍ତୁ ଦେଖିବା ବିଭିନ୍ନ ଗଣମାଧ୍ୟମ‌ର ଏକଜିଟ୍ ପୋଲ୍ କ’ଣ କହୁଛି।

ଜନ କୀ ବାତ୍‌
ଏମଏନଏଫ: ୧୦-୧୪
ଜେଡପିଏମ୍‌: ୧୫-୨୫
କଂଗ୍ରେସ: ୫-୯
ବିଜେପି: ୦-୨
ଅନ୍ୟାନ୍ୟ: ୦

ସି ଭୋଟର
ଏମଏନଏଫ: ୧୫-୨୧
ଜେଡପିଏମ୍‌: ୧୨-୧୮
କଂଗ୍ରେସ: ୨-୮
ବିଜେପି: ୦
ଅନ୍ୟାନ୍ୟ: ୦-୫

ମିଜୋରାମ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ୨୦୧୮ରେ ବିଜେପିର ଏନ୍‌ଡିଏ ସହଯୋଗୀ ଏମ୍‌ଏନ୍‌ଏଫ୍‌ ୨୬ଟି ଆସନରେ ବିପୁଳ ବିଜୟ ହାସଲ କରି ରାଜ୍ୟରେ ସରକାର ଗଠନ କରିଥିଲା।
ମିଜୋରାମ ଏକ୍‌ଜିଟ୍‌ ପୋଲ୍‌ ସର୍ଭେରେ ପୂର୍ବାନୁମାନ କରାଯାଇଛି ଯେ ଜେଡ୍‌ପିଏମ୍‌ ଓ ଏମ୍‌ଏନ୍‌ଏଫ୍‌ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଧାନସଭା ନିର୍ବାଚନରେ ମିଜୋରାମର ମୋଟ ୮.୫୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୮୦.୬୬% ନଭେମ୍ବର ୭ରେ ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରଥିଲେ।

ମିଜୋରାମରେ ସାକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୨୧ ଥିବାବେଳେ ଡିସେମ୍ବର ୩ ତାରିଖ, ରବିବାର ଦିନ ବିଧିବଦ୍ଧ ଭାବେ ଭୋଟ ଗଣତି କରାଯାଇ ଆନୁଷ୍ଠାନିକ ଭାବେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର