ମଧ୍ୟପ୍ରଦେଶ, ମିଜୋରାମ୍‌ରେ:ପ୍ରଚାର ଶେଷ

O ଜାତି, ଗୋତ୍ରକୁ ନେଇ ରାଜନୀତି O ୨୮ରେ ମତଦାନ

O ଦରଘା, ମନ୍ଦିର ଗଲେ ରାହୁଲ O ପୁଷ୍କରରେ ଗୋତ୍ର କହିଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ମିଜୋରାମ୍‌ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। କଂଗ୍ରେସ, ବିଜେପି ସମେତ ଅନ୍ୟ ଦଳଗୁଡ଼ିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ଆସନ୍ତା ୨୮ ତାରିଖ (ବୁଧବାର)ରେ ଏହି ଦୁଇ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ।
ମଧ୍ୟପ୍ରଦେଶର ୨୩୦ ଆସନ ଏବଂ ମିଜୋରାମ୍‌ର ୪୦ ଆସନବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୧୧ ତାରିଖରେ ଭୋଟ୍‌ ଫଳ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଷ କୁନ୍ଦ୍ରା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ସମସ୍ତ ପ୍ରସ୍ତୁତି ବାବଦରେ ଅବଗତ ହୋଇଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କିଭଳି ସମ୍ପାଦନ କରାଯିବ, ସେ ନେଇ ମଧ୍ୟ ବ୍ୟାପକ ଆଲୋଚନା କରିଛନ୍ତି। ଦୁଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମଧ୍ୟପ୍ରଦେଶରେ ବିଜେପିର ଶିବରାଜ ସିଂହ ଚୌହାନ୍‌ ସରକାର ଗତ ୧୫ ବର୍ଷ ହେଲା ଶାସନ କରୁଥିବା ବେଳେ କଂଗ୍ରେସ ଏଠାରେ ନିଜ ବିଜୟକୁ ପକ୍କା କରିବା ପାଇଁ ସମସ୍ତ ଚେଷ୍ଟା କରିଛି। ବିଜେପି ମଧ୍ୟ ଏଠ‌ାରେ ପୁଣି ଚତୁର୍ଥ ଥର କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି।
ସେହିପରି ମିଜୋରାମ୍‌ରେ କଂଗ୍ରେସ ପୁଣି କ୍ଷମତାକୁ ଆସିବ ବୋଲି ଲକ୍ଷ୍ୟ ରଖିଛି। ଏଥିପାଇଁ ଆବଶ୍ୟକ ପ‌ଡ଼ିଲେ ଅନ୍ୟ କ୍ଷୁଦ୍ର ଦଳ ସହିତ ଏହା ମେଣ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଲାଲ୍‌ ଥନାୱାଲା କହିଛନ୍ତି। ସେ କହିଛନ୍ତି, ବିଜେପି ଓ ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌କୁ ଛାଡ଼ି ଅନ୍ୟ ଦଳଗୁଡ଼ିକ ମୋ ସହିତ ସାମିଲ ହେବାକୁ ଚାହିଲେ, ସେମାନଙ୍କୁ ସ୍ବାଗତ କରାଯିବ। ରାଜ୍ୟରେ ସରକାର ଗଢ଼ିବାକୁ ହେଲେ ୪୦ ସଦସ୍ୟବିଶିଷ୍ଟ ବିଧାନସଭା ଆସନରୁ ୨୧ଟି ହାସଲ କରିବାକୁ ହେବ।

ଜୟପୁର: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ଏବେ ଏକ ଭିନ୍ନ ସ୍ତରକୁ ଚାଲିଯାଇଛି। ଜାତି, ଧର୍ମ ଓ ଗୋତ୍ରକୁ ନେଇ ଅଧିକ ଚର୍ଚ୍ଚା ହେଉଛି। କେତେବେଳେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତି ପ୍ରସଙ୍ଗ ଉଠାଉଛି ତ କେବେ ବିଜେପି ରାହୁଲଙ୍କ ଗୋତ୍ର କ’ଣ ପଚାରି ନାକେଦମ୍‌ କରୁଛି। ଏହାକୁ ନେଇ ଜୋର୍‌ଦାର ରାଜନୀତି ହେଉଛି। ନିକଟ‌ରେ କଂଗ୍ରେସ ପକ୍ଷରୁ ମୋଦୀଙ୍କ ଜାତି ଓ ପିତାଙ୍କ ନାମକୁ ନେଇ ଅଙ୍ଗୁଳି ଉଠାଯିବା ସହିତ ତାଙ୍କୁ ନୀଚା ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଚଳିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ୍‌ ବୋଲି ବିବେଚନା କରାଯାଉଛି। ଏହି ରାଜ୍ୟରେ କୌଣସିମତେ ନିର୍ବାଚନ ଜିତିବା ପାଇଁ ଦଳଗୁଡ଼ିକ ସମସ୍ତ ବଳ ଲଗାଇଦେଇଛନ୍ତି। ତେବେ ଏଥର ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଧର୍ମଭିତ୍ତିକ ରଣନୀତି ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ରାଜସ୍ଥାନ ଗସ୍ତ କରି ଏହାର ଝଲକ ଦେଖାଇଛନ୍ତି। ସେ ପ୍ରଥମେ ଅଜ୍‌ମେର ଯାଇ ଖ୍ବାଜା ମୋଇନୁଦ୍ଦିନ୍‌ ଚିସ୍ତିର ଦରଘାରେ ଚାଦର ଚଢ଼ାଇଥିଲେ। ଏହାପରେ ସେ ପୁଷ୍କର ପରିଦର୍ଶନ କରି ଜଗତ୍‌ପିତା ବ୍ରହ୍ମାଙ୍କ ମନ୍ଦିର ଯାଇଥିଲେ। ସବୁଠୁ ମଜାଦାର କଥା ହେଉଛି ରାହୁଲ ଏଥର ବିଜେପି ନେତାଙ୍କୁ ଜବାବ ଦେଇ ନିଜ ଗୋତ୍ର ସଂକ୍ରାନ୍ତରେ ପ୍ରକାଶ କରିଥିଲେ।
ରାହୁଲ ମନ୍ଦିର ପୂଜାରୀଙ୍କୁ ନିଜ ଗୋତ୍ର କୌଲ୍‌ ଦତ୍ତାତ୍ରେୟ ବୋଲି ଦର୍ଶାଇଥିଲେ। ସେ ନିଜକୁ କୌଲ୍‌ (କଶ୍ମୀରୀ) ବ୍ରାହ୍ମଣ ବୋଲି କହିଥିଲେ। ଏହାପରେ ପୂଜାରୀ ପୂଜା ସମ୍ପନ୍ନ କରିଥିଲେ।

ସମ୍ବନ୍ଧିତ ଖବର