ଇସ୍ତଫା ଦେଲେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବର

ନୂଆଦିଲ୍ଲୀ : ମି-ଟୁ ଅଭିଯୋଗର ସମ୍ମୁଖୀନ ହୋଇଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବର ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ବିରୋଧରେ ଏକାଧିକ ମହିଳା ଯୌନ ନିର୍ଯ୍ୟାତନା ଅଭିଯୋଗ କରିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢିଚାଲିଥିଲା ।
ନିଜର ଇସ୍ତଫା ସଂପର୍କରେ ଏକ ବୟାନ ଜାରି କରି ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ବିରୋଧରେ ନ୍ୟାୟ ପାଇବା ପାଇଁ ସେ ନିଜେ ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ପରିପ୍ରେକ୍ଷୀରେ ସେ ନିଜର ସରକାରୀ ଦାୟିତ୍ୱରେ ରହିବା ଉଚିତ ମନେକରୁନାହାନ୍ତି । ଏଣୁ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି । ଦେଶର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆକବରଙ୍କ ବିରୋଧରେ ସର୍ବପ୍ରଥମେ ଯୌନ ନିର୍ଯ୍ୟାତନା ଅଭିଯୋଗ ଲଗାଇଥିବା ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ସେ ଏକ ମାନହାନୀ ମକଦ୍ଦମା କରିଛନ୍ତି । ଆସନ୍ତା କାଲି ଏହି ମାମଲାର ଶୁଣାଣି ଆରମ୍ଭ ହେବ । ଆକବର ଇସ୍ତଫା ଦେବା ପରେ ପ୍ରିୟା ରମାନି ଟ୍ଵିଟ କରି କହିଛନ୍ତି ଯେ ଏହି ଇସ୍ତଫା ପରେ ତାଙ୍କ ଅଭିଯୋଗ ସତ ବୋଲି ପ୍ରମାଣିତ ହୋଇଛି ।

ସମ୍ବନ୍ଧିତ ଖବର