କେବଳ ହିନ୍ଦୀ ଭାଷାରେ ଭାରତକୁ ଏକତ୍ର କରି ରଖିବାର କ୍ଷମତା ରହିଛି; ଅମିତ ଶାହାଙ୍କ ଏଭଳି ବୟାନକୁ ବିରୋଧ କଲେ ଡିଏମ୍‌କେ ମୁଖ୍ୟ

ନୂଆଦିଲ୍ଲୀ : ଆଜି ସାରା ଭାରତରେ ହିନ୍ଦୀ ଦିବସ ପାଳନ କରାଯାଉଥିବା ବେଳେ ଅନେକ ବଡ଼ ବଡ଼ ନେତା ଏ ନେଇ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା କରିଥିବା ଟୁଇଟ୍‌କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟଲିନ୍‌ ଶାହାଙ୍କୁ ବିରୋଧ କରିବା ସହ ସେ ତାଙ୍କ ବୟାନ ଫେରାଇ ନିଅନ୍ତୁ ବୋଲି କହିଛନ୍ତି । ସୂଚନା ମୁତାବକ, ହିନ୍ଦୀ ଭାଷାରେ ଦେଶକୁ ଏକାଠି ବାନ୍ଧି ରଖିବାର କ୍ଷମତା ରହିଛି । ଦେଶରେ ଗୋଟିଏ ଭାଷା ରହିବା ଦରକାର, ଯାହା ସାରା ବିଶ୍ୱରେ ଭାରତର ପ୍ରତିନିଧିତ୍ୱ କରିବ । ହିନ୍ଦୀ ଭାରତରେ ଅଧିକାଂଶ ରାଜ୍ୟର ଲୋକ କହୁଥିବା ବେଳେ ଏହା ଭାରତକୁ ଏକତ୍ର କରି ରଖି ପାରିବ । ହିନ୍ଦୀକୁ ପ୍ରାଥମିକ ଭାଷା କରାଯାଇ ପାରିବ ବୋଲି ହିନ୍ଦୀ ଦିବସର ଶୁଭେଚ୍ଛା ଦେଇ କହିଥିଲେ ଶାହା ।

ତେବେ ଶାହାଙ୍କ ଏଭଳି ବୟାନକୁ ବିରୋଧ କରିଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌.କେ.ଷ୍ଟଲିନ୍‌ । ତାଙ୍କ କହିବା ଅନୁଯାୟୀ, ଆମକୁ ହିନ୍ଦୀ ଭାଷା କହିବାକୁ ବାଧ୍ୟ କରାଯାଉଥିବାରୁ ଆମେ ଏହାର ବିରୋଧ କରି ଆସିଛୁ । ଆଜି ଶାହା ଯେଉଁ ବୟାନ ଦେଇଛନ୍ତି, ତାହା ଆମକୁ ଶକ୍ତ ଝଟକା ଦେଇଛି । ତାଙ୍କର ଏଭଳି ବୟାନ ଦେଶର ଏକତାକୁ ପ୍ରଭାବିତ କରିବ । ଆମେ ଚାହୁଁଛୁ କି ସେ ତାଙ୍କ ବୟାନ ଫେରାଇ ନିଅନ୍ତୁ । ଆସନ୍ତାକାଲି ଆମ କାର୍ଯ୍ୟକାରୀ ଦଳର ଏକ ବୈଠକ କରାଯିବ, ଯେଉଁଠି ଏ ବିଷୟରେ ଆଲୋଚନା କରାଯିବ ।

ସମ୍ବନ୍ଧିତ ଖବର