ବାଣଫୁଟା ନିଷେଧ କରିଥିବା ୪ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବାଣ ବ୍ୟାନ୍ କରିଥିବା ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଚିଠି ଲେଖିଛନ୍ତି | ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନ ଚିଠି ଲେଖିଛନ୍ତି | ବାଣ ବ୍ୟାନ୍ ଦ୍ୱାରା ୮ ଲକ୍ଷ ବାଣ କାରିଗରଙ୍କ ଜୀବିକା ବିପନ୍ନ ହୋଇଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି | ଷ୍ଟାଲିନ ଲେଖିଛନ୍ତି ଯେ କୋଭିଡ ମହାମାରୀ ଯୋଗୁଁ ଦେଶର କ୍ଷୁଦ୍ର ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି | ତାମିଲନାଡୁର ଶିବକାଶୀର ବାଣ ଶିଳ୍ପ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ହୋଇଥିବାରୁ ଏହା ଉପରେ କଟକଣା ଲଗାଯାଇଥିବାରୁ ବାଣ କାରିଗରଙ୍କ ଉପରେ ଏକ ବଡ ପ୍ରଭାବ ପଡିଛି |

ବାଣ ବିକ୍ରି ଉପରେ ଲଗାଯାଇଥିବା କଟକଣା ଯୋଗୁଁ ରାଜ୍ୟର ପ୍ରାୟ ୮ ଲକ୍ଷ ବାଣ କାରିଗରଙ୍କ ଜୀବିକା ଉପରେ ପ୍ରଭାବ ପଡିଛି | ପ୍ରଦୂଷଣକୁ ରୋକିବା ପାଇଁ ଆପଣ ବାଣ ଫୁଟାଇବା ଉପରେ ଯଦିଓ କଟକଣା ଜାରି କରିଛନ୍ତି ତଥାପି ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଦୂଷଣ ମାତ୍ରା ବଢାଉଥିବା ବାଣ ଉପରେ ଏବେ ବ୍ୟାନ ଲଗାଯାଇଛି | ଖୁବ କମ ଧୂଆଁ ବାହାରୁଥିବା ବାଣ ବର୍ତ୍ତମାନ ରାଜ୍ୟରେ ପ୍ରସ୍ତୁତ କରାଯାଉଛି | ତେଣୁ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ଯୁକ୍ତିଯୁକ୍ତ ନୁହେଁ | ବାଣ ଉପରେ ଏଭଳି ବ୍ୟାନ ଲଗାଯିବା ଦ୍ୱାରା ଏହି କ୍ଷୁଦ୍ର ଶିଳ୍ପ ଓ କାରିଗରଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପଡୁଛି |

ତେଣୁ ବାଣ ବିକ୍ରି କରିବାକୁ ଅନୁମତି ଦେବାକୁ ଷ୍ଟାଲିନ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି | ସୂଚନା ଥାଉ କି ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଥିଲେ । ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍‌ ଜାରି କରିବା ପରିପ୍ରେକ୍ଷୀରେ ସରକାର କହିଥିଲେ ଯେ, ପାର୍ବଣ ମାସରେ ବାଣ ବିକ୍ରି ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର