ଚେନ୍ନାଇ: ତାମିଲନାଡ଼ୁର ଅର୍ଥମନ୍ତ୍ରୀ ପାଲାନିଭେଲ ଥିଆଗା ରାଜନ (ପିଟିଆର୍) ଆଜି କହିଛନ୍ତି ଯେ ଯେଉଁ ଅଡିଓ କ୍ଲିପ୍ରେ ସେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପରିବାରର ସମ୍ପତ୍ତି ବିଷୟରେ ମତବ୍ୟକ୍ତ କରିଛନ୍ତି ବୋଲି କୁହାଯାଉଛି, ତାହା ନକଲି। ସେ ଏପରି କୌଣସି କଥା କହିନାହାନ୍ତି।
ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ଉକ୍ତ ଅଡିଓ ବ୍ଲିପ୍କୁ ଟ୍ବିଟ୍ କରିଥିଲେ, ଯେଉଁଥିରେ ପିଟିଆର୍ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଓ ଜ୍ବାଇଁ ସବରିସାନଙ୍କ ସମ୍ପତ୍ତି ନେଇ କିଛି ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି। କ୍ଲିପ୍ଟି ପ୍ରକାଶ ପାଇବା ପରେ ପିଟିଆର୍ ଆଜି ଦୁଇପୃଷ୍ଠାର ଏକ ବିବୃତି ଜାରି କରି ଅଡିଓ କ୍ଲିପ୍କୁ ନକଲି, ମନଗଢ଼ା ଓ ମନ୍ଦ ଉଦ୍ଦେଶ୍ୟ-ପ୍ରଣୋଦିତ ବୋଲି କହିଛନ୍ତି। ବୈଷୟିକ ପ୍ରଯୁକ୍ତି ସାହାଯ୍ୟରେ ତାଙ୍କ ନାମରେ ଏପରି ମିଥ୍ୟା ଅଡିଓ କ୍ଲିପ୍ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଉକ୍ତ ଅଡିଓ କ୍ଲିପ୍ର ଏକ ସ୍କ୍ରିନ୍ସଟ୍ ଏଥିରେ ସଂଯୁକ୍ତ କରି ପିଟିଆର୍ କହିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ପକ୍ଷରୁ ଏହାକୁ ସେୟାର କରାଯାଇଛି। ସେମାନେ ହିଁ ଏହାକୁ ପ୍ରସ୍ତୁତ କରିଛନ୍ତି। ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ କେବେ ବି ସଫଳ ହେବନାହିଁ ବୋଲି ସେ କହିଛନ୍ତି।