ଜୁଆ ଖେଳୁଥିବାବେଳେ ପୁଲିସ ହାତରେ ଧରାପଡ଼ିଲେ ପୂର୍ବତନ ଧନୀ ବିଧାୟକ

ଗୌହାଟୀ: ଜୁଆ ଖେଳୁଥିବାବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି ଜଣେ ପୂର୍ବତନ ବିଧାୟକ | ଆସାମ ପୁଲିସ ଗୁରୁବାର ଦିନ ନାହରକଟିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନରେନ ସୋନୋୱାଲଙ୍କୁ ଜୁଆ ଖେଳୁଥିବାବେଳେ ଗିରଫ କରିଛି। ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ୨୦୧୬ ନିର୍ବାଚନରେ ​​ଲଢ଼ିଥିବା ପୂର୍ବତନ ଏଜିପି ବିଧାୟକଙ୍କୁ ଆସାମର ଦିବ୍ରୁଗଡ଼ ସହରର ବୋଇରାଗିମୋଥ ଅଞ୍ଚଳରୁ ପୁଲିସ ଗିରଫ କରିଥିଲା। ଏହି ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ସୋନୋୱାଲଙ୍କ ସହ ଅନ୍ୟ ୬ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି | ପୁଲିସ ଅଧୀକ୍ଷକ ଶ୍ୱେତାଙ୍କ ମିଶ୍ର କହିଛନ୍ତି ଯେ ଆସାମ ଖେଳ ଏବଂ ବେଟିଂ ଆକ୍ଟ, ୧୯୭୦ ର ଧାରା ୧୬ ଅନୁଯାୟୀ ଆମେ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଏକ ଭଡା ଘରେ ଚଢ଼ାଉ କରିଥିଲା | ଆଉ ଏହି ଘଟଣାରେ ସମୁଦାୟ ୭ ଜଣଙ୍କୁ ଗିରଫ କରିଥିଲା |

ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଚଢ଼ାଉ ସମୟରେ ଆମେ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହ ନଗଦ ୯୬,୫୦୦ ଟଙ୍କା, ଏକ କାର ଏବଂ ଦୁଇଟି ମୋଟରସାଇକେଲ ଜବତ କରିଛୁ। ଉଲ୍ଲେଖ ଥାଉ କି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଆସାମ ସରକାରଙ୍କ ସହଯୋଗୀ ଏଜିପିର ନେତା ନରେନ ସୋନୋୱାଲ ୨୦୧୬ରେ ନାହରକଟିଆ ନିର୍ବାଚନମଣ୍ଡଳୀରୁ ଆସାମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଅନୁଯାୟୀ, ସୋନୋୱାଲ୍ ୨୦୨୧ ଆସାମ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସବୁଠାରୁ ଧନୀ ପ୍ରାର୍ଥୀ ଥିଲେ | ସେ ତାଙ୍କର ସମ୍ପତ୍ତି ୩୩ କୋଟି ଟଙ୍କା ଥିବାର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର