ବାପାଙ୍କ ସହ କଥାହେଲେ ସାକ୍ଷୀ କ୍ଷମା ମାଗିଲେ

ବିଧାୟକ କହିଲେ ଝିଅ ଦଳିତ କାର୍ଡ ଖେଳୁଛି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ବିଧାୟକ ରାଜେଶ ମିଶ୍ରଙ୍କ ଝିଅ ସାକ୍ଷୀ ମିଶ୍ର ପିତାଙ୍କ ବିରୋଧରେ ଯେଉଁ ଗୁରୁତର ଅଭିଯୋଗ ଆଣିଛନ୍ତି ତାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ଦଳିତ ଯୁବକଙ୍କୁ ବିବାହ କରିବାରୁ ତାଙ୍କ ବାପା ତାଙ୍କ ପଛରେ ଗୁଣ୍ଡ‌ା ଲଗାଇ ଦେଇଛନ୍ତି ଏବଂ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସାକ୍ଷୀ ଏକ ଭିଡିଓ ଜାରି କରିଥିଲେ ଏବଂ ତାଙ୍କ ସୁରକ୍ଷା ପାଇଁ କୋର୍ଟରେ ମଧ୍ୟ ଆବେଦନ କରିଥିଲେ। ତେବେ ସାକ୍ଷୀ ଆଜି ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ବସି ତାଙ୍କ ବାପାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସାକ୍ଷୀ ତାଙ୍କ ବାପାଙ୍କ ସହ ଆଜି କଥା ହେବା ସମୟରେ କାନ୍ଦି ପକାଇଥିଲେ ଏବଂ ତାଙ୍କୁ କ୍ଷମା ମାଗିଥିଲେ। ରାଜେଶ ମିଶ୍ର ମଧ୍ୟ ଝିଅ ସହ ଫୋନ୍‌ରେ କଥା ହେବାବେଳେ ଝିଅର ସୁଖଶାନ୍ତି କାମନା କରିଥିଲେ । ରାଜେଶ ମିଶ୍ର କହିଛନ୍ତି ତାଙ୍କ ଝିଅ ଦଳିତ କାର୍ଡ ଖେଳୁଛି ଏବଂ କୌଣସି ଲୋକର ପରାମର୍ଶକ୍ରମେ ଗଣମାଧ୍ୟମ ଦ୍ବାରା ହଟଚମଟ ସୃଷ୍ଟି ପାଇଁ ପ୍ରୟାସ କରୁଛି। ତାଙ୍କ ପରିବାର ସଦସ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଏବେ କେବଳ ଆମ ପାଖରେ ଆତ୍ମହତ୍ୟାର ରାସ୍ତା ରହିଯାଇଛି ବୋଲି ରାଜେଶ କହିଛନ୍ତି। ସାକ୍ଷୀ ଅଭିଯୋଗ କରିଛନ୍ତି, ତାଙ୍କ ବାପା ତାଙ୍କୁ କେବେ ବି ଘରୁ ପାଦ କାଢ଼ିବା ସୁଯୋଗ ଦିଅନ୍ତି ନାହିଁ। ଅନ୍ୟ ଝିଅଙ୍କ ପରି ତାଙ୍କର ମଧ୍ୟ ଅନେକ ସ୍ବପ୍ନ ଥିଲା ଏବଂ ସେ ପାଠ ପଢ଼ିବାକୁ ଚାହୁଥିଲେ। କିନ୍ତୁ ତାଙ୍କୁ‌ ସେସବୁ କରିବାର ସୁଯୋଗ ମିଳି ନଥିଲା। ତାଙ୍କ ବାପା ଅଫିସରେ ଥିବା ସମୟରେ ଘରେ ତାଙ୍କ ମା’ ଏବଂ ଭାଇ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର