ନୂଆଦିଲ୍ଲୀ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ ରଦ୍ଦ ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ‌ଲୋକାୟୁକ୍ତ ଓଡ଼ିଶା ହାଇକୋର୍ଟଙ୍କ ୨୦୨୧ ଫେବ୍ରୁଆରି ୩ ତାରିଖ ରାୟ ବିରୋଧରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ ପିଟିସନ (ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ହାଇକୋର୍ଟ ୨୦୨୧ ଏପ୍ରିଲ ମାସରେ ସମୀକ୍ଷା ଆଦେଶକୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗି ଓ ବିଚାରପତି ବେଲା ଏମ୍‌. ତ୍ରିବେଦୀ ସ୍ପଷ୍ଟ କରିଛନ୍ତି ଯେ ତ୍ବରିତ ମାମଲାର ପ୍ରାଥମିକ ତଦନ୍ତରେ କୌଣସି ପକ୍ଷପାତ ରହିନାହିଁ। ତେବେ ଲୋକାୟୁକ୍ତଙ୍କ କୌଣସି ଆଇନ ବିପରୀତ ପଦକ୍ଷେପ ନେଲେ ପ୍ରତିପକ୍ଷ ଶ୍ରୀ ପାଣିଗ୍ରାହୀ ଆଇନ ମୁତାବକ ନ୍ୟାୟିକ ପ୍ରକ୍ରିୟାକୁ ଉପଯୋଗ କରିପାରିବେ।

Advertisment

ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ଖଣ୍ଡପୀଠଙ୍କ ରାୟ ପ୍ରାକୃତିକ ନ୍ୟାୟ ସିଦ୍ଧାନ୍ତର ଉଲ୍ଲଂଘନ କରୁଛି। ହାଇକୋର୍ଟ ଲୋକୟୁକ୍ତଙ୍କ ପକ୍ଷ ନଶୁଣି ଲୋକାଯୁକ୍ତଙ୍କ‌ ୨୦୨୦ ଡିସେମ୍ବର ୧୧ ତାରିଖର ଆଦେଶକୁ ଖାରଜ କରିଛନ୍ତି। ଲୋକାୟୁକ୍ତ ଆଇନ- ୨୦୧୪ର ଧାରା ୨୦(୧) ଆଧାର‌ରେ ପ୍ରତିପକ୍ଷ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଧାରାକୁ ହାଇକୋର୍ଟଙ୍କ ଖଣ୍ଡପୀଠ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ପ୍ରତିପକ୍ଷ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍‌ସ ଦୁର୍ନୀତି ମାମଲା ରୁଜୁ କରିଛି, ତେଣୁ ଅଭିଯୋଗକାରୀଙ୍କୁ ମାମଲାର ତଦନ୍ତଭାର ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟ ରାୟରେ କହିଛନ୍ତି ତ୍ବରିତ ମାମଲାରେ ଭିଜିଲାନ୍‌ସ ଡିଏସ୍‌ପି ରଞ୍ଜନ କୁମାର ଦାସ, ପରୋକ୍ଷ କିମ୍ବ‌ା ପ୍ରତ୍ୟକ୍ଷ ଅଭିଯୋଗକାରୀ ନଥିଲେ। ତେଣୁ ତାଙ୍କୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ସୂଚନାଦାତା ବୋଲି କୁହାଯାଇପାରିବ। ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅତିରିକ୍ତ ପୋଲିସ ଅଧୀକ୍ଷକ ପି.‌କେ ନାୟକଙ୍କ ଦ୍ବାରା କରାଯାଇଥିଲା। ସେ ପ୍ରାଥମିକ ତଦନ୍ତ ରିପୋର୍ଟ ୨୦୨୧ ମେ ୨୮ରେ ଦାଖଲ କରିଥିଲେ। ଉଭୟ ପୃଥକ୍ ବ୍ୟକ୍ତି। ତେଣୁ ପକ୍ଷପାତର ପ୍ରଶ୍ନ ଆଦୌ ଉଠୁନାହିଁ।