ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ ରଦ୍ଦ ନେଇ ହାଇକୋର୍ଟ ରାୟ ଦେଇଥିଲେ
ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ

Advertisment

ନୂଆଦିଲ୍ଲୀ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ନିର୍ଦେଶ ଦେଇଥିଲେ। ହେଲେ ଫେବ୍ରୁଆରି ୩ ତାରିଖରେ ଏହାକୁ ଖାରଜ କରିଦେଇଥିଲେ ଓଡ଼ିଶା ହାଇକୋର୍ଟ। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଫେବ୍ରୁଆରି ୩ ତାରିଖ ଆଦେଶ ଉପରେ ରୋକ୍ ଲଗାଇ ଦେଇଛନ୍ତି।ଏଥି ସହିତ ସୁପ୍ରିମକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ନୋଟିସ୍ ମଧ୍ୟ ଜାରି କରିଛନ୍ତି।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେବେ ଏହାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଲୋକାୟୁକ୍ତ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ (ଏସ୍‌ଏଲ୍‌ପି) ଦାଖଲ କରାଯାଇଥିଲା।

ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ମାମଲାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ନବୀନ ସିହ୍ନା ଓ ବିଚାରପତି ଅଜୟ ରାସ୍ତୋଗୀଙ୍କ ଖଣ୍ଡପୀଠ ଏହାକୁ ଶୁଣିଥିଲେ। ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ଶ୍ରୀବାସ୍ତବ ଏବଂ ସୁପ୍ରିମକୋର୍ଟର ଆଡ୍‌ଭୋକେଟ୍ ଅନ୍ ରେକର୍ଡ ଅର୍ଜୁନ ଗର୍ଗ ଯୁକ୍ତି ଉପସ୍ଥାପନ କରି କହିଥିଲେ କେଉଁ ଏଜେନ୍‌ସି ଦ୍ବାରା ତଦନ୍ତ କରାଯିବ, ତାହା ନିର୍ଦେଶ ଦେବାର କ୍ଷମତା ଲୋକାୟୁକ୍ତଙ୍କର ରହିଛି। ଅତଏବ ଏଥିରେ ଓଡ଼ିଶା ହାଇକୋର୍ଟଙ୍କୁ ଆଦୌ ହସ୍ତକ୍ଷେପ କରିବାର ନଥିଲା। ଦ୍ୱିତୀୟତଃ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ, ଯେଉଁଠି ଭିଜିଲାନ୍ସ ଅଭିଯୋଗକାରୀ ସେଠି ଭିଜିଲାନ୍ସ କିପରି ସେହି ମାମଲାକୁ ତଦନ୍ତ କରିପାରିବ? ଏଭଳି ପ୍ରଶ୍ନ ଉଠାଇ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। କିନ୍ତୁ ଏହା ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚର ୫ ଜଣିଆ ଖଣ୍ଡପୀଠଙ୍କ ରାୟର ବିରୋଧାଚରଣ କରୁଛି ବୋଲି ଆଦେବନକାରୀଙ୍କ ଓକିଲଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଫେବୃଆରୀ ୩ର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ଉପରେ ରହିତାଦେଶ ଜାରି କରିଥିଲେ।