ବିଧାୟକଙ୍କୁ କିଣାବିକା ମାମଲା: ୪ ରାଜ୍ୟର ୭ ସ୍ଥାନରେ ତେଲେଙ୍ଗାନା ପୁଲିସର ଚଢ଼ଉ

ହାଇଦ୍ରାବାଦ: ତେଲେଙ୍ଗାନାର ୪ ଟିଆର୍ଏସ ବିଧାୟକଙ୍କୁ ୧୦୦ କୋଟି ଟଙ୍କା ବିନିମୟରେ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବା ବେଳେ ମାମଲାରେ ତେଲେଙ୍ଗାନା ପୁଲିସ ଶନିବାର ‌୪ଟି ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରିଛି। ବିଧାୟକଙ୍କୁ କିଣିବା ପ୍ରୟାସ ଅଭିଯୋଗ ଉପରେ ତଦନ୍ତ କରୁଥିବା ଏସଆଇଟି ଦାବି କରିଛି ଯେ ଚଢ଼ଉ ସମୟରେ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି। ୮୦ ପୁଲିସଙ୍କୁ ନେଇ ୭ଟି ଟିମ୍‌ ଉକ୍ତ ଚଢ଼ଉରେ ସାମିଲ ହୋଇଛନ୍ତି। ଉକ୍ତ ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଫରିବାଦାଦଭିତ୍ତିକ ଧାର୍ମିକ ପ୍ରଚାରକ ରାମଚନ୍ଦ୍ର ଭାରତୀ, ହାଇଦ୍ରାବାଦର ବ୍ୟବସାୟୀ ନନ୍ଦ କୁମାର ଏବଂ ତିରୁପତିର ସିମହାୟାଜି ସ୍ବାମୀ।

ଏମାନଙ୍କ ସମେତ କେରଳର କୋଚିଠାରେ ଡା‌. ଜଗ୍ଗୁଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି। ହରିୟାଣାର ଫରିଦାବାଦ ଏବଂ କର୍ଣ୍ଣାଟକର ପୁଟ୍ଟୁରଠାରେ ଭାରତୀଙ୍କ ଘରେ, ତିରୁପତିରେ ସିମହାୟାଜୀ ସ୍ବାମୀଙ୍କ ଘରେ ଏସଆଇଟି ଚଢ଼ଉ କରିଛି। ସେହିଭଳି ବ୍ୟବସାୟୀ ନନ୍ଦ କୁମାରଙ୍କ ଜୁବୁଲି ହିଲ୍ସ ଅଞ୍ଚଳରେ ଥିବା ଘର ଏବଂ ରେସ୍ତୋରାଁ ବି ଏଥିରେ ସାମିଲ ରହିଛି। ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ ଏବଂ ଅନ୍ୟ ଜଣେ ସନ୍ଦିଗ୍ଧ ତୁଷାରଙ୍କ ମଧ୍ୟରେ ଡା. ଜଗ୍ଗୁ ମୁଖ୍ୟ ଯୋଗସୂତ୍ରକାରୀ ବୋଲି କୁହାଯାଉଛି। ତେବେ ତୁଷାରଙ୍କୁ ଏପର୍ଯ୍ୟନ୍ତ ଧରାଯାଇନାହିଁ। ବିଧାୟକ ରୋହିତ ରେଡ୍ଡୀଙ୍କ ସହିତ ତୁଷାର ଫୋନରେ କଥା ହୋଇଥିଲେ। କେରଳ ଡାକ୍ତରଙ୍କର ତୁଷାରଙ୍କ ସହିତ ଘନିଷ୍ଠ ସଂପର୍କ ଥିଲା। ତେବେ ଏ ନେଇ ଅଭିଯୁକ୍ତମାନଙ୍କ ଠାରୁ ସଂଗୃହୀତ ଦସ୍ତାବିଜ୍‌ ଆଦିକୁ ଯାଞ୍ଚ କରିବାକୁ ହେବ ବୋଲି ତଦନ୍ତରେ ସାମିଲ ଜଣେ ଅଧିକାରୀ କହିଛନ୍ତି। ଅନ୍ୟାନ୍ୟ ରାଜ୍ୟରୁ ଏସଆଇଟି ପ୍ରମାଣ ସଂଗ୍ରହ କରି ଫେରିବା ପରେ ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।

ସମ୍ବନ୍ଧିତ ଖବର