ସପ୍ତାହେ ପୂର୍ବରୁ ଠାକରେଙ୍କ ପାଇଁ କାନ୍ଦି କାନ୍ଦି ସମର୍ଥନ ମାଗୁଥିବା ବିଧାୟକ ସିନ୍ଦେ ଗୋଷ୍ଠୀରେ ସାମିଲ

ମୁମ୍ବାଇ: କାଲି ଉଦ୍ଧବଙ୍କ ପାଇଁ କାନ୍ଦୁଥିଲେ, ଆଜି ସିନ୍ଦେଙ୍କ ସହ ମିିଶିଗଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯେତେବେଳେ ଗୌହାଟୀରେ ରହି ମହାରାଷ୍ଟ୍ରର ସରକାର ବଦଳାଇବାକୁ ଉଦ୍ୟମ କରୁଥିଲେ ସେତେବେଳେ କାନ୍ଦି କାନ୍ଦି ଉଦ୍ଧବଙ୍କୁ ସମର୍ଥନ କରିବା ପାଇଁ କହିଥିଲେ ବିଧାୟକ ସନ୍ତୋଶ ବାଙ୍ଗର୍‌ । ହେଲେ ସରକାର ବଦଳିବା ପରେ ସେ ମଧ୍ୟ ବଦଳିଯାଇଥିବା ଦେଖାଯାଇଛି। ଉଦ୍ଧବଙ୍କ ହାତ ଛାଡ଼ି ‌ସେ ସିନ୍ଦେଙ୍କ ହାତ ଧରିଥିବା ଜଣାପଡ଼ିଛି। ପୂର୍ବରୁ ଏହା ଜଣାନଥିବା ବେଳେ ଆଜି ଫ୍ଲୋର ଟେଷ୍ଟ ସମୟରେ ସିନ୍ଦେ କ୍ୟାମ୍ପ ସହ ସାନ୍ତୋଶ ବାଙ୍ଗରଙ୍କୁ ଦେଖି ଆଶ୍ଚର୍ଯ୍ୟ ହାଇଯାଇଥିଲେ ଠାକରେ।

ସୂଚନା ମୁତାବକ, ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ‘ଶିବସେନା’ ବିଧାୟକ ‌ସନ୍ତୋଷ ବାଙ୍ଗର୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଗହଣରେ ଉପସ୍ଥିତ ଥିବା ଆଜି ସକାଳେ ଦେଖାଯାଇଥିଲା। ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କ ସହ ହୋଟେଲ୍‌ରୁ ବାହାରି ସେ ବିଧାନସଭାରେ ପହଞ୍ଚିଥିଲେ। ସେ ମଧ୍ୟ ସିନ୍ଦେଙ୍କୁ ସମର୍ଥନ ଜଣାଇ ଭୋଟ୍‌‌ ଦେଇଥିଲେ। ତାଙ୍କର ଏଭଳି ବିଶ୍ବାସଘାତକତା ଉଦ୍ଧବ ଠାକରେଙ୍କୁ ଗମ୍ଭୀର ଆଘାତ ଦେଇଥିବା କୁହାଯାଉଛି।

ସୂଚନା ମୁତାବକ, ଜୁନ୍ ୨୪ରେ ଯେତେବେଳେ ଉଦ୍ଧବ ଠାକରେ ବିଧାୟକମାନଙ୍କୁ ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବାକୁ ଅଟକାଉଥିଲେ, ସେତେବେଳେ ସାନ୍ତୋଶ ବାଙ୍ଗର ଠାକରେଙ୍କ ସମର୍ଥନରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କ ଆଗରେ କାନ୍ଦୁଥିବା ଦେଖାଯାଇଥିଲା। ଭିଡିଓରେ ସେ ବିଦ୍ରୋହୀଙ୍କୁ ବିଶ୍ୱାସଘାତକ ବୋଲି କହିଥିଲେ ଏବଂ ଏକନାଥ ସିନ୍ଦେଙ୍କୁ ଛାଡ଼ି ଠାକରେଙ୍କ ପାଖକୁ ଫେରିବାକୁ ଅନୁରୋଧ କରିଥିଲେ। ହେଲେ ସପ୍ତାହକ ପରେ ସରକାର ବଦଳିବା ସହ ସନ୍ତୋଶ ବାଙ୍ଗର୍‌ ମଧ୍ୟ ବଦଳିଯାଇଥିଲେ।

ସମ୍ବନ୍ଧିତ ଖବର