ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବଡ଼ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ଅଜିତ ପାୱାରଙ୍କ ଏନସିପି ଏବେ ଘୋର ସଙ୍କଟ ଦେଇ ଗତି କରୁଛି। ନିର୍ବାଚନ ପରିଣାମକୁ ନେଇ ଦଳୀୟ କନ୍ଦଳ ଚରମରେ ପହଞ୍ଚିଥିବା ବେଳେ ଅଜିତ ଗୋଷ୍ଠୀର ଅନେକ ବିଧାୟକ ଶରଦ ପାୱାରଙ୍କ ଏନସିପିରେ ସାମିଲ ହେବାକୁ ମସୁଧା କରୁଛନ୍ତି। ଶରଦ ଗୋଷ୍ଠୀ ବିଧାୟକ ରୋହିତ ପାୱାର କହିଛନ୍ତି ଯେ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଦଳରୁ ତାଙ୍କ ଦଳକୁ ଏକ ବଡ଼ ଧରଣର ଗଣ ପଳାୟନ ହେବ ଏବଂ ଏହା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ବଜେଟ୍‌ ଅଧିବେଶନ ପରେ ବିଧାୟକମାନେ ଅଜିତଙ୍କ ଏନ୍‌ସିପି ଛାଡ଼ି ଶରଦ ପାୱାରଙ୍କ ଏନସିପିରେ ସାମିଲ ହେବା ଆରମ୍ଭ କରିବେ ବୋଲି ସେ ଦାବି କରିଛନ୍ତି। ତେବେ ରୋହିତଙ୍କ ଦାବିକୁ ଉଭୟ ଅଜିତ ପାୱାର ଏବଂ ଏନସିପି ରାଜ୍ୟ ସଭାପତି ସୁନିଲ ତତ୍‌କରେ ଖଣ୍ଡନ କରିଛନ୍ତି।

Advertisment

ରୋହିତ ପାୱାର କହିଛନ୍ତି, ବଜେଟ୍‌ ଅଧିବେଶନ ପରେ ଏବଂ ସରକାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପାଣ୍ଠି ବଣ୍ଟନ କରିବାପରେ ଅନେକ ନେତା ଏନ୍‌ସିପି ଛାଡ଼ି ଆମ ଦଳରେ ଯୋଗଦେବେ। ତେଣୁ ଆଗକୁ ନିଷ୍ପତ୍ତି କ’ଣ ହେବ ତା’ ଉପରେ ନଜର ରହିଛି। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ବିଜେପି ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ ପାୱାରଙ୍କ ଏନ୍‌ସିପି ସହ ମିଶି ନିର୍ବାଚନ ନ ଲଢ଼ିପାରେ। ୨୦୨୪ ଲୋକସଭା ନିର୍ବାଚନରେ ଝଟ୍‌କା ଖାଇବା ପରେ ବିଜେପି ଅଜିତ ପାୱାରଙ୍କ ଏନସିପିଠାରୁ ଦୂରେଇଯିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।