ଭାରତୀୟ ଗଣତନ୍ତ୍ର ପାଇଁ ଲଜ୍ଜା ! ବିହାର ବିଧାନସଭାରେ ବିଧାୟକମାନଙ୍କୁ ପିଟିଲା ପୁଲିସ

ପାଟନା : ବିହାର ବିଧାନସଭାରେ ଆଜି ଏପରି କିଛି ଘଟଣା ଘଟିଥିଲା ଯାହାକୁ କି ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳାଦିନ ବୋଲି କୁହାଯାଇପାରିବ ।  ବିହାର ପୁଲିସ ବିଧାନସଭାରେ ପଶି ବିରୋଧୀଦଳ ବିଧାୟକମାନଙ୍କୁ ପିଟୁଥିବା ଦେଖାଯାଇଥିଲା । ପୁଲିସ ବିଧାୟକମାନଙ୍କ ଅତ୍ୟନ୍ତ ଅମାନବୀୟ ଭାବେ କେଶ ଝିଙ୍କିବା ସହ ଗୋଇଠା ମାରିବା ମଧ୍ୟ ଅଭିଯୋଗ ହୋଇଛି ।

ବିହାର ସରକାରଙ୍କ ଦ୍ବାରା ଅଣାଯାଇଥିବା ଏକ ନୂଆ ବିଲକୁ ବିରୋଧୀ ଦଳର ବିଧାୟକମାନେ ବିରୋଧ କରୁଛନ୍ତି । ଏହି ବିଲର ନାମ ହେଉଛି ବିହାର ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ଆଇନ-୨୦୨୧ । ଏହି ବିଲଟି ଗତକାଲି ସଂଧ୍ୟାରେ ବିଧାନସଭାରେ ଗୃହୀତ ହୋଇଥିଲା । ଏହି ବିଲ୍ ଆଇନରେ ପରିଣତ ହେବା ପରେ ବିହାର ପୁଲିସ ବିନା ଓ୍ବାରେଣ୍ଟରେ ତଲାସି କରି ଗିରଫ କରିପାରିବ । ଏହାର ବିରୋଧରେ ବିରୋଧୀ ଦଳ ବିଧାୟକମାନେ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ପଣବନ୍ଦୀ କରିରଖିଥିବା ଅଭିଯୋଗ ହୋଇଛି । ଏହାର ଜବାବରେ ପୁଲିସ ଏପରି କାର୍ଯ୍ୟନୁଷ୍ଠାନ ନେଇଥିବା କୁହାଯାଉଛି । ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ କେତେକ ବିଧାୟକ ଆହତ ହୋଇଥିବା ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର